ଓଡିଶା

odisha

ETV Bharat / city

ସ୍ୱର୍ଗତ IAS ଗୁରୁପ୍ରସାଦ ମହାପାତ୍ରଙ୍କ ସଂକଳିତ ପୁସ୍ତକ ଉନ୍ମୋଚିତ - book unveiled

ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ ସଙ୍କଳିତ ପୁସ୍ତକ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’କୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡଃ ମହାପାତ୍ରଙ୍କ କାର୍ଯ୍ୟ ଅଭିନବ ଏବଂ ଅତୁଳନୀୟ ଥିଲା ବୋଲି କହିଲେ ଧର୍ମେନ୍ଦ୍ର । ଅଧିକ ପଢନ୍ତୁ...

ସ୍ୱର୍ଗତ ଆଇଏଏସ ଗୁରୁପ୍ରସାଦ ମହାପାତ୍ରଙ୍କ ସଂକଳିତ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
ସ୍ୱର୍ଗତ ଆଇଏଏସ ଗୁରୁପ୍ରସାଦ ମହାପାତ୍ରଙ୍କ ସଂକଳିତ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

By

Published : Jul 31, 2021, 10:26 PM IST

ଭୁବନେଶ୍ବର:ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ କାର୍ଯ୍ୟ ପ୍ରତି ନିଷ୍ଠା ମନୋଭାବ କେବଳ ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଦେଶ ଓ ମାନବ ଜାତି ପାଇଁ ପ୍ରେରଣାଦାୟୀ । ତାଙ୍କ ଦ୍ୱାରା ସଂକଳିତ ପୁସ୍ତକ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’କୁ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱର୍ଗତ ମହାପାତ୍ରଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ଗଳ୍ପ ସଂକଳନ ଉନ୍ମୋଚନ କରାଯାଇଛି ।

ଦେଶର ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ଭାବୁକ ହୋଇଛନ୍ତି । ଆଉ କହିଛନ୍ତି ଯେ, ଆଜି ଡଃ ଗୁରୁପ୍ରସାଦ ମହାପାତ୍ର ନାହାନ୍ତି ସତ କିନ୍ତୁ ତାଙ୍କର କାର୍ଯ୍ୟ ପ୍ରତି ନିଷ୍ଠା ମନୋଭାବର ବର୍ଣ୍ଣନା କରିହେବ ନାହିଁ । ତାଙ୍କ ଦ୍ୱାରା ଓଡିଆ ଜାତି ଏବଂ ସମାଜ ପ୍ରଭାବିତ ହୋଇଥିଲା । ତାଙ୍କ ଭଳି ଜଣେ କର୍ମନିଷ୍ଠ ବ୍ୟକ୍ତିତ୍ୱଙ୍କ ଦ୍ୱାରା ସଂକଳିତ ହୋଇଥିବା ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’କୁ ଆଜିର ଦିନରେ ଉନ୍ମୋଚନ କରି ନିଜକୁ କୃତଜ୍ଞ ମନେକରୁଛି ।

ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ କାର୍ଯ୍ୟ ଥିଲା ଅଭିନବ ଏବଂ ଅତୁଳନୀୟ । କୋଭିଡ଼ ସମୟରେ ନିଜେ ସଂକ୍ରମିତ ହୋଇ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ସମୟରେ ସେ ଦେଶର ଆବଶ୍ୟକତା ରହିଥିବା ପିପିଇ କିଟ୍‌, ଅକ୍ସିଜେନ ଯୋଗାଣକୁ ସୁନିଶ୍ଚିତ କରିଥିଲେ । ଏହା ଥିଲା ଗୁରୁପ୍ରସାଦ ମହାପାତ୍ରଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ସମାଜ ପ୍ରତି ସମର୍ପଣ ଭାବର ନିଚ୍ଛକ ପ୍ରମାଣ । ପ୍ରଧାନମନ୍ତ୍ରୀ ତାଙ୍କ କାମରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ସ୍ୱର୍ଗତ ମହାପାତ୍ରଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହା ସହ ଦେଶବାସୀଙ୍କୁ ଅକ୍ସିଜେନ୍ ଯୋଗାଣ କରିବାରେ ତାଙ୍କର କାର୍ଯ୍ୟ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ ।

ସ୍ୱର୍ଗତ ମହାପାତ୍ର ସୁରତ ମହାନଗର ନିଗମର କମିସନର ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଏହାସହ ସୁରତ ଭଳି ବୟନ ଶିଳ୍ପର ପେଣ୍ଠସ୍ଥଳିକୁ ଆଦର୍ଶ ନଗର ପରିଚାଳନାର କେନ୍ଦ୍ର ରୂପେ ପ୍ରତିଷ୍ଠା କରିବାରେ ସେ ସୂତ୍ରଧର ଥିଲେ । ସେହିପରି ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରମୁଖ ସ୍ରଷ୍ଟା ମହାପାତ୍ର ନୀଳମଣି ସାହୁ ଥିଲେ ଅନନ୍ୟ ସିଦ୍ଧିର ଅଧିକାରୀ । କଥା ସାହିତ୍ୟ ଓ ଉପନ୍ୟାସ ଭଳି ସୃଜନଶୀଳ ସୃଷ୍ଟି କର୍ମରେ ତାଙ୍କର ସ୍ୱାକ୍ଷର କାଳଜୟୀ ମହାପାତ୍ରଙ୍କ ଗଳ୍ପ ସାହିତ୍ୟରେ ଗଭୀର ଅନୁଭୂତି, ସାମ୍ପ୍ରତିକ କାଳର ଜୀବନଚର୍ଚ୍ଚା, ସାଂସାରିକ ମଣିଷର ବ୍ୟଥାବେଦନା ଏବଂ ଜୀବନ ସଂଗ୍ରାମର ଚିତ୍ର ଜୀବନ୍ତ ଭାବେ ରୂପାୟିତ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଗାଳ୍ପିକ ନୀଳମଣିଙ୍କର ରହିଛି ଅନେକ ଅସାଧାରଣ ଗଳ୍ପ । ତନ୍ମଧ୍ୟରୁ କେତେକ ଗଳ୍ପ ଏହି ସଙ୍କଳନ ପାଇଁ ଚୟନ କରିଥିଲେ ତାଙ୍କର ସୁପୁତ୍ର ସ୍ୱର୍ଗତ ଡ଼ା.ଗୁରୁପ୍ରସାଦ ମହାପାତ୍ର । ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ ପୁସ୍ତକଟିରେ ସ୍ଥାନିତ ୧୩ଟି ଗଳ୍ପଗୁଡ଼ିକ ଗୁରୁପ୍ରସାଦଙ୍କୁ ଅନେକ ଭାବରେ ଆଚ୍ଛାଦିତ ଓ ଆନ୍ଦୋଳିତ କରି ରଖୁଥିଲା । ଉନ୍ମୋଚିତ ହୋଇଥିବା ପୁସ୍ତକଟି ୨୦୨୦ ମସିହା ଡ଼ିସେମ୍ବର ମାସରେ ପ୍ରକାଶିତ ହୋଇଥିଲା । ଆଜିର ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସ୍ୱର୍ଗତ ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କ ପତ୍ନୀ ଶ୍ରୀମତି ଅଞ୍ଜଳି ମହାପାତ୍ର, ତାଙ୍କ ପୁତ୍ର ଦୀପ୍ତିମାନ ମହାପାତ୍ର ଏବଂ ଜୀମୂତବରଣ ମହାପାତ୍ର, ପ୍ରମୁଖ ବକ୍ତାଗଣ ଭାବରେ ଭିଡିଓ କନଫରେନ୍ସ ଜରିଆରେ ଶାନ୍ତନୁ କୁମାର ଆଚାର୍ଯ୍ୟ, ମମତା ଦାଶ, ଯଶୋଧାରା ମିଶ୍ର, ଅର୍ଚ୍ଚନା ନାଏକ, ପାରମିତା ଶତପଥୀ ଓ ସାହିତ୍ୟିକ ଏବଂ ବିଶିଷ୍ଟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାର

ABOUT THE AUTHOR

...view details