ଭୁବନେଶ୍ବର: ଗୋ ମାତାର ସୁରକ୍ଷା ଓ ସେବା ଲାଗି ବିଳମ୍ବିତ ରାତିରେ ନୀଳଗିରିରେ ପହଁଞ୍ଚିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଗୋ ମାତାର ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବା ଲାଗି ବାଲେଶ୍ଵର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଜର ସରଳ ଜୀବନଯାପନ ଓ ଗୋ ସେବା ଲାଗି ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ।
ମହାନତା ଦେଖାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ମନ୍ତ୍ରୀ ହେବା ପୂର୍ବରୁ ଯଦି କୌଣସି ସ୍ଥାନରେ ଗୋ ମାତା ଅସୁସ୍ଥ କିମ୍ବା ଅସୁରକ୍ଷିତ ଥାନ୍ତି ସେବା ଶୁଶ୍ରୁଷା କରନ୍ତି ସେ । କେନ୍ଦ୍ରମନ୍ତ୍ରୀ ହେବା ପରେ ହୁଏତ ପ୍ରତାପ ଗୋ ସେବାରୁ ଦୁରେଇ ଯାଇଥିବେ ବୋଲି ଅନେକ ଭାବୁଥିବେ । ହେଲେ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ସେ ଗୋ ସେବା କରନ୍ତି। ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋମବାର ବିଳମ୍ବିତ ରାତିରେ।
କେନ୍ଦ୍ରମନ୍ତ୍ରୀ ଏବେ ଓଡ଼ିଶାରେ । ନୀଳଗିରିରେ ଥିବା ନିଜର ପୈତୃକ ଗାଁରେ ରହିଛନ୍ତି । ନୀଳଗିରିର ଗୋବର୍ଦ୍ଧନ ଗ୍ରାମର ଜୟନ୍ତ ମହାନ୍ତିଙ୍କ ଗର୍ଭବତୀ ଗାଈ ସମସ୍ୟାରେ ଥିବା ଖବର ପାଇଲେ ପ୍ରତାପ । ନିକଟସ୍ଥ କରଞ୍ଜିଆ ଗ୍ରାମର ପ୍ରହ୍ଲାଦ ବାଗଙ୍କ ପରିତ୍ୟକ୍ତ ପିଚୁ କାରଖାନାରେ ଗଚ୍ଛିତ ପିଚୁ କୂଅରେ 2ଦିନ ଧରି ପଡିରହିଥିଲା ଗାଈ ।
ଖବର ପାଇ କେନ୍ଦ୍ରମନ୍ତ୍ରୀ ତୁରନ୍ତ ସେଠାରେ ପହଞ୍ଚିଥିଲେ । ତୁରନ୍ତ ପିଚୁ କୂଅରୁ ଗାଈକୁ ଉଦ୍ଧାର କରିଥିଲେ । ଏହାସହ ଗୋ ମାତାର ଚିକିତ୍ସା ଲାଗି ବାଲେଶ୍ଵର ଜିଲ୍ଲାପାଳଙ୍କୁ ଫୋନ ଯୋଗେ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ପରେ SDPO,SDVO ଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ଗୋ ମାତାର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ଵର ଜିଲ୍ଲାପାଳ । ତତକ୍ଷଣାତ୍ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ