ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ବର୍ତ୍ତମାନ କୋଭିଡ ସ୍ଥିତି ଓ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ ବାବଦରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହା ସହ କେନ୍ଦ୍ରର ମୋଦି ସରକାର ଓଡିଶାକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଥିବାନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ୧୫ ଦିନ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସମୟ । ତେଣୁ ତୃଣମୂଳ ସ୍ତରରେ କୋଭିଡର ମୁକାବିଲାରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ଵେଚ୍ଛାସେବୀ ତଥା ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।
ଆସନ୍ତା 15 ଦିନ ମଧ୍ୟରେ ଓଡିଶାରେ କୋଭିଡ ସଂକ୍ରମଣ ହାର କମ କରିବା ସହ ସ୍ଥିତି ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କ ପାଇଁ ଆହ୍ମାନପୂର୍ଣ୍ଣ ହେବାକୁ ଯାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହା ସହ ସେ ରାଜ୍ୟ ସରକାରଙ୍କୁ କୋଭିଡ ମୁକାବିଲା ରଣନୀତି ନେଇ କିଛି ଗଠନ ମୂଳକ ପ୍ରସ୍ତାବ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ରାଜ୍ୟରେ ବର୍ତ୍ତମାନ ସ୍ଥିତିକୁ ଦେଖି ରାଜ୍ୟ ସରକାର ଏକ ମହାମାରୀ ମୁକାବିଲା କମିଟି (କୋଭିଡ କ୍ରାଇସେଶ କମିଟି) ଗଠନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଧର୍ମେନ୍ଦ୍ର । ଓଡ଼ିଶାରେ କିପରି ଭ୍ୟାକସିନ୍ ଉପଲବ୍ଧି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ରାଜ୍ୟକୁ କିପରି ଭ୍ୟାକସିନ, ରେମଡ଼େସିଭର ଔଷଧ, ରାପିଡ୍ ଅଟିଜେନ୍ ଟେଷ୍ଟ କିଟ୍ ଅଧିକରୁ ଅଧିକ ଯୋଗା ଯାଇପାରିବ ସେ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି ।