ଓଡିଶା

odisha

ETV Bharat / city

Panchayat Poll Violence: ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା, ବିଭିନ୍ନ ରାଜନେତାଙ୍କ ଦୃଢ ନିନ୍ଦା - ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନିନ୍ଦାକଲେ ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକଙ୍କ ଉପରେ ଅମାନୁଷିକ ଆକ୍ରମଣକୁ ଦୃଢ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ସହ ଶାନ୍ତି ଶୃଙ୍ଖଳା ପାଇଁ ଅପିଲ । ଅଧିକ ପଢନ୍ତୁ

ସାମ୍ବାଦିକଙ୍କ ଉପରେ ଆକ୍ରମଣ, ପ୍ରତିକ୍ରିୟା ରଖିଲେ ବିଭିନ୍ନ ରାଜନେତା
ସାମ୍ବାଦିକଙ୍କ ଉପରେ ଆକ୍ରମଣ, ପ୍ରତିକ୍ରିୟା ରଖିଲେ ବିଭିନ୍ନ ରାଜନେତା

By

Published : Feb 20, 2022, 5:02 PM IST

Updated : Feb 20, 2022, 10:39 PM IST

ଭୁବନେଶ୍ବର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ନିନ୍ଦା । ରାଜନୀତିରୁ ଊର୍ଦ୍ଧ୍ବରୁ ଉଠି ସାମ୍ବାଦିକଙ୍କ ସୁରକ୍ଷା ଲାଗି ଦାବି ଜୋର ଧରିଛି । ଏହାସହ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ନିନ୍ଦା କରିଛନ୍ତି । ଏହା ପରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ କରି ଘଟଣାକୁ ନିନ୍ଦନୀୟ କହିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଟ୍ବିଟ ଯୋଗେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ଶାନ୍ତିଶୃଙ୍ଖଳା ପାଇଁ ନିର୍ବାଚନ କମିଶନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି । ଟ୍ୱିଟ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ଯାହା ଦୁଃଖ ଓ ପରିତାପର ବିଷୟ । ରାଜନୀତିରେ ବାଦବିବାଦ ରୁହେ କିନ୍ତୁ ହିଂସାର ସ୍ଥାନ ନାହିଁ । ଲୋକଙ୍କ ସମସ୍ୟା ଓ ନିର୍ବାଚନ ସହ ଜଡ଼ିତ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣା ନିର୍ବାଚନୀ ପରିଚାଳନା, ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ତଥା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସେହିପରି ପ୍ରଶାସନର ଦାୟିତ୍ୱ ହେଉଛି ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା । ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ହିଂସା ଏବଂ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ଗୁରୁତର ସହ ନେଇ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ସାମ୍ବାଦିକଙ୍କୁ ମାଡ଼ ପ୍ରସଙ୍ଗ: ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ

ସେପଟେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଟ୍ବିଟ କରି ବିଞ୍ଝାରପୁର ହିଂସାକୁ ନିନ୍ଦା କରିଛନତି । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏପରି କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ଗଣତନ୍ତ୍ରରେ ହିଂସା ଗ୍ରହଣୀୟ ନୁହଁ । ସାମ୍ବାଦିକମାନଙ୍କ ଉପରେ ଆକ୍ରମଣକୁ ନିନ୍ଦା କରୁଛି, ଦୋଷୀ ନିଶ୍ଚୟ ଦଣ୍ଡ ପାଇବ ବୋଲି କହିଛନ୍ତି ମାନସ ମଙ୍ଗରାଜ ।

ସେପଟେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସାମ୍ବାଦିକଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ସମସ୍ତ ବରିଷ୍ଠ ନେତା ଦୃଢ଼ ନିନ୍ଦା କରିବା ସହ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ସେମାନେ କହିଛନ୍ତି । ଏପରି କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Feb 20, 2022, 10:39 PM IST

ABOUT THE AUTHOR

...view details