ଭୁବନେଶ୍ବର: ଦେଶର 15 ତମ ରାଷ୍ଟ୍ରପତି ପାଇଁ ଭୋଟ ଦେଉଛି ଭାରତବର୍ଷ । କଚରୁ କୋହିମା କାଶ୍ମୀରୁ କନ୍ୟାକୁମାରୀ ସାରା ଦେଶର ବିଧାୟକ ସାଂସଦ ନୂଆ ମହାମହିମ ପାଇଁ ମତଦାନ ଦେଇଛନ୍ତି । ତେବେ ଖବର ଅନୁସାରେ ସାରା ଦେଶରେ କ୍ରସ ଭୋଟିଂ ହୋଇଛି । ଯେଉଁଥିରୁ ଓଡିଶା ମଧ୍ୟ ବାଦ ପଡିନାହିଁ । ପାର୍ଟିର ନିଷ୍ପତିକୁ ଅଣଦେଖା କରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଘୋଷଣା କରିଛନ୍ତି । ଯାହାକୁ ନେଇ କଂଗ୍ରେସରେ ଏବେ ସୃଷ୍ଟି ହୋଇଛି କମ୍ପନ ।
ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ଦଳୀୟ ହ୍ୱିପ ନ ଥିବା ବେଳେ ନିଜ ବିବେକ ଅନୁସାରେ ମାଟିର ଝିଅଙ୍କୁ ଭୋଟ ଦେଇଛି । ରାଷ୍ଟ୍ରପତି ପଦ ହେଉଛି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ । ଯଦି ମୁଁ ଦ୍ରୌପଦୀଙ୍କ ବିଜୟରେ କିଛି ସହଯୋଗ କରିପାରିବି ତେବେ ମୋ ପାଇଁ ଏହା ଗର୍ବର ବିଷୟ ବୋଲି ମୋକିମ କହିଛନ୍ତି । ଏହାକୁ ନେଇ ସେ କୌଣସି ଅନୁତାପ କରୁନାହାଁନ୍ତି ବୋଲି ମଧ୍ୟ କହିଛନ୍ତି ।