ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । 6 ଦିନିଆ ଓଡିଶା ଗସ୍ତରେ ଆସୁଥିବା ବିଶେଶ୍ବର ସୋମବାର ଭୁବନେଶ୍ବରରେ ପହଁଞ୍ଚିବେ । ଓଡିଶା ଗସ୍ତ ସମୟରେ ସାଧାରଣ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରମନ୍ତ୍ରୀ । ଏହାସହିତ କେନ୍ଦ୍ରସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ମନ୍ତ୍ରୀ ଅବଗତ କରାଇବାର କାର୍ଯ୍ୟକ୍ରମ ରହିଛି ।
ସମ୍ପ୍ରସାରିତ କେନ୍ଦ୍ର କ୍ୟାବିନେଟରେ ନୂଆକରି ଦାୟିତ୍ବ ସମ୍ଭାଳିଥିବା ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଅସୁସ୍ଥତା କାରଣରୁ ଜନ ଆର୍ଶୀବାଦ ଯାତ୍ରାରେ ଓଡିଶା ଆସିପାରିନଥିଲେ । ତେବେ ସୁସ୍ଥ ହେବା ପରେ ଆଜି (ସୋମବାର) ସେ 6 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।
କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର ପହଞ୍ଚିବା ପରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ସିଧାସଳଖ ପୁରୀ ଗସ୍ତ କରିବେ । ସେଠାରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ ଟୁଡୁ ।