ଭୁବନେଶ୍ବର: ପୁଣି କେନ୍ଦ୍ର ଉଠାଇଲା ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ଦାବି । ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଲୋକାର୍ପଣ କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ରାଜ୍ୟବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବା ଲାଗି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।
ଏହି ଯୋଜନା ଲାଗୁ ହେବା ଦ୍ବାରା ଓଡ଼ିଆ ଲୋକେ ଲାଭ ପାଇବେ । ସ୍ବାସ୍ଥ୍ୟ ବ୍ୟବସ୍ଥା ଭଲ ରହିବ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମୋଦି ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ରାଜ୍ୟରେ ଅନେକ ମେଡ଼ିକାଲ କଲେଜ ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ଅନେକ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଓଡ଼ିଶା ସମେତ ଦେଶର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ନେଇ ଉତ୍ତମ ଡାକ୍ତର ହୁଅନ୍ତୁ ବୋଲି ସେ କହିଛନ୍ତି ।
ସରକାରୀ ବ୍ୟବସ୍ଥାକୁ ଉପଯୋଗ କରି ରାଜ୍ୟ ଓ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ରଖିବା ପାଇଁ ସେ ଆହ୍ବାନ ଦେଇଛନ୍ତି । ସୁନ୍ଦରଗଡ଼ରେ ଏନଟିପିସି ପକ୍ଷରୁ ହସ୍ପିଟାଲ ହୋଇଛି । ତାଳଚେରରେ କୋଲ ଇଣ୍ଡିଆ 1 ହଜାର କୋଟି ଟଙ୍କା ଖର୍ଚ୍ଚ କରି ମେଡ଼ିକାଲ କଲେଜ ନିର୍ମାଣ କରିଛି । ମୋଦି ସରକାରଙ୍କ ସମୟରେ ଓଡ଼ିଶାରେ ସ୍ବାସ୍ଥ୍ୟ ସୁବିଧା, ମେଡ଼ିକାଲ କଲେଜ ଓ ସିଟ୍ ସଂଖ୍ୟା ବୃଦ୍ଧି ପାଉଛି । ଏହାର ଲାଭ ଓଡ଼ିଶାକୁ ମିଳିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।