ଭୁବନେଶ୍ବର: ଆଜିଠୁ 2 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ପୂର୍ବାହ୍ନ 9ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୋଳ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଏବଂ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ l ଖୋର୍ଦ୍ଧାରେ ରେଳ ମନ୍ତ୍ରୀଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏହା ସହିତ ଆସନ୍ତାକାଲି (ଶୁକ୍ରବାର) ପୁରୀରେ ରଥଯାତ୍ରାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l
ପ୍ରଥମେ ତାଳଚେର ଯିବାର କାର୍ଯ୍ୟକ୍ରମ ରହିଛି । ଏମସିଏଲର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିବା ସହ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭୂମିପୂଜନ କରିବାର ଯୋଜନା ରହିଛି । ଏହି କାର୍ଯ୍ୟକ୍ରମରେ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡ଼ିଓ କନଫରେନ୍ସିଂରେ ଯୋଗଦେବେ । ପରବର୍ତ୍ତୀ ପର୍ଯ୍ୟାୟରେ ଶିକ୍ଷାମନ୍ତ୍ରୀ ପ୍ରଧାନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଖୋର୍ଦ୍ଧା ରୋଡ଼୍ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିବେ । ରେଳ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ମିଳିତ ଭାବରେ ଖୋର୍ଦ୍ଧା ରୋଡ଼୍ ଷ୍ଟେସନର ନୂତନ ବିଲଡିଂର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।