ଭୁବନେଶ୍ବର: ଭାରତୀୟ ଶିକ୍ଷା ବ୍ୟବସ୍ଥା ଆଧୁନିକ ହେବ ଏବଂ ବୈଶ୍ବୟିକ ନାଗରିକ ସୃଷ୍ଟି କରିବ । ଉଚ୍ଚ ଶିକ୍ଷା ଯଦି ଗୁଣାତ୍ମକ ମାନର ହେବ ତେବେ ଦେଶର ବିକାଶ ପଥକୁ ପରିବର୍ତ୍ତନ କରିପାରିବ । ଆଜି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ପାଳନ ସମାରୋହକୁ ଉଦଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଏହା କହିଛନ୍ତି ।
ତୃଣମୂଳ ସ୍ତର ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାକୁ ପହଞ୍ଚାଇ ଶିକ୍ଷାକୁ ସର୍ବବ୍ୟାପୀ ଓ ସମାବେଶୀ କରିବା ପାଇଁ ଉପରାଷ୍ଟ୍ରପତି ଆହ୍ବାନ କରିଛନ୍ତି। ସେ କହିଛନ୍ତି ଯେ ଗ୍ରାମାଞ୍ଚଳର ଯୁବପିଢିଙ୍କୁ ସମାନ ଶିକ୍ଷା ସୁଯୋଗ ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ମାନବ ବିକାଶ, ରାଷ୍ଟ୍ର ନିର୍ମାଣ ତଥା ବିଶ୍ବ ପାଇଁ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ନିର୍ମାଣ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିଶ୍ବବିଦ୍ୟାଳୟ ନୂଆ ଆଇଡିଆ ଦ୍ବାରା ସମାଜର ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବା ଦରକାର ବୋଲି ଉପରାଷ୍ଟ୍ରପତି ଗୁରୁତ୍ବରୋପ କରିଛନ୍ତି ।
ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷା ଲାଭ ସହ ଶିକ୍ଷାର ସବୁ ଦିଗକୁ ପ୍ରାଧନ୍ୟ ଦିଆଯାଇଛି । ଭାରତର ଶିକ୍ଷା ବ୍ୟବସ୍ଥା ଆମର ସଂସ୍କୃତି ଓ ଐତିହ୍ୟ ସହ ଯୋଡି ହୋଇ ରହିବ । ଭାରତୀୟ ଶିକ୍ଷା ଆଧୁନିକ ହେବ ଏବଂ ବୈଶ୍ବୟିକ ନାଗରିକ ତିଆରି କରାଯିବ । ଏହି ମର୍ମରେ ଜାତୀୟ ପାଠ୍ୟକ୍ରମ ରୂପରେଖର(ଏନସିଏଫ)ର ଆଧିକାରିକ ନିର୍ଦ୍ଦେଶ ପତ୍ର ପ୍ରସ୍ତୁତ କରାଯାଇଛି । ଜାତୀୟ ଶିକ୍ଷା ନୀତିର ସମସ୍ତ ଉପକ୍ରମକୁ କାର୍ଯ୍ୟକାରୀ କରିବାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଗ୍ରଣୀ ଭୂମିକା ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଦିଲ୍ଲୀ ବିଶ୍ବବିଦ୍ୟାଳୟ ବିଶ୍ବର ସମସ୍ୟାର ସମାଧାନର ସୂତ୍ର ବାହାର କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଶାବ୍ୟକ୍ତ କରିବା ସହ ଏହି ବିଶ୍ବବିଦ୍ୟାଳୟ ବିଶ୍ବରେ ଇନକ୍ୟୁବେଟର ଭାବରେ ଉଭା ହୋଇଛି ବୋଲି କହିଛନ୍ତି ।