ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ଐତିହାସିକ ଓ ଯୁଗାନ୍ତକାରୀ କହିଛି ରାଜ୍ୟ ବିଜେପି । ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ବଜେଟକୁ ସ୍ଵାଗତ କରିଛନ୍ତି । ସ୍ଵାଧୀନତାର 75 ବର୍ଷ ପାଳନ ଅର୍ଥାତ ଅମୃତକାଳର ଏହି ବଜେଟ ଶ୍ରେଷ୍ଠ ଭାରତ ଗଠନର ମୂଳଦୁଆ ହେବ ବୋଲି ସେ କହିଛନ୍ତି ।
ସମାଜର ସବୁ ବର୍ଗଙ୍କ ପାଇଁ ଏହି ବଜେଟରେ ଚିନ୍ତା କରିଛନ୍ତି କେନ୍ଦ୍ର ସରକାର । ମହାମାରୀ ସମୟରେ ସମସ୍ତ ଦେଶର ଅର୍ଥନୀତି ସଙ୍କଟ ଦେଇ ଗତି କରୁଛି ହେଲେ ଭାରତ ମଜବୁତ୍ ଅଛି । ସଫଳତାର ସହ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟବାସୀଙ୍କୁ ଅନେକ ସୁଫଳ ମିଳିବ। ଏଣୁ ବଜେଟର କାର୍ଯ୍ୟକାରିତା ମିଶନ ମୋଡ଼ରେ ଗ୍ରାମାଞ୍ଚଳରେ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କୁ ଅନରୋଧ କରିଛନ୍ତି ସମୀର। ସାମଗ୍ରିକ ଭାବେ ଦେଖିଲେ ରୋଜଗାର ସୃଷ୍ଟି ପାଇଁ ନିବେଶ ବ୍ୟବସ୍ଥା ହୋଇଛି ଯାହା ଦ୍ଵାରା 60 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ।
ଚାଷୀଙ୍କ ପାଇଁ ବଜାର ବ୍ୟବସ୍ଥା ଓ ଟେକ୍ନୋଲୋଜି ବ୍ୟବହାର କରି ଖର୍ଚ୍ଚ କମାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମହିଳା ସଶକ୍ତିକରଣ ପାଇଁ ବ୍ୟାପକ ବ୍ୟୟବରାଦ ହୋଇଛି। ଏଥିରୁ ରାଜ୍ୟର 70 ଲକ୍ଷ ମହିଳା ଗୋଷ୍ଠୀର ମହିଳାମାନେ ଫାଇଦା ପାଇବେ। ସେମାନଙ୍କୁ ଆଗକୁ ଆୟକର ଦାତାରେ ତାଲିକାରେ ସାମିଲ କରିବାକୁ ଲକ୍ଷ୍ୟ ରହିଛି । ନୂଆ ଭାରତର ନୂଆ ନାଗରିକ ସୃଷ୍ଟି ପାଇଁ ପ୍ରି ସ୍କୁଲ ଅର୍ଥାତ ଅଙ୍ଗନୱାଡ଼ି ଉନ୍ନତିକରଣ ପାଇଁ ବ୍ୟବସ୍ଥା ହୋଇଛି। ବ୍ୟାପକ ଭାବରେ ଏକଲବ୍ୟ ସ୍କୁଲ ସଂଖ୍ୟା ବଢିବାକୁ ନିଷ୍ପତ୍ତି ହୋଇଛି ।