ଭୁବନେଶ୍ବର: ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା, ଚର୍ଚ୍ଚା ଆକଳନ ପରେ ଶେଷରେ ଘୋଷଣା ହୋଇଛି ଓଡିଶା କଂଗ୍ରେସର ନୂଆ ମୁଖିଆ । ପୂର୍ବତନ ସାଂସଦ ପୂର୍ବତନ ପିସିସି ସଭାପତି ତଥା ଅନୁଭବି ଅଖିଳ ଭାରତୀୟ କଂଗ୍ରେସ କମିଟି(AICC) ସଦସ୍ୟ ଶରତ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସର ମୁଖିଆ ଭାବେ ନିଯୁକ୍ତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପୂର୍ବତନ PCC ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରି ବ୍ୟାପକ ଆଲୋଚନା ପରେ ଶରତଙ୍କ ନାମରେ ମୋହର ମାରିଛନ୍ତି କଂଗ୍ରେସ ହାଇକମାଣ୍ଡ ।
ନିଜ ଇସ୍ତଫା ଗ୍ରହଣ ହେବାପରେ ସାମ୍ବାଦିକ ସମ୍ମିଳନୀ ଜରିଆରେ କୃତଜ୍ଞତା ଜଣାଇଛନ୍ତି ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ । ଟ୍ବିଟ୍ କରି ନିରଞ୍ଜନ କହିଛନ୍ତି, "ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି । ମୋର ବିଶ୍ବାସ, ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା କଂଗ୍ରେସ ଶୀର୍ଷରେ ପହଞ୍ଚିବ । ଓଡିଶା କଂଗ୍ରେସକୁ ସଂଗଠିତ ସୁଦୃଢ କରିବା ପାଇଁ ମୋର ସମର୍ଥନ ମାର୍ଗଦର୍ଶନ ଶରତଙ୍କ ପ୍ରତି ରହିବ । ସଫଳତା ପାଇଁ ଶୁଭକାମନା ।"