ଭୁବନେଶ୍ବର:ଆଜି ପଛରେ ନାହାନ୍ତି ତୃତୀୟ ଲିଙ୍ଗ । ନିଜକୁ ସ୍ବାବଲମ୍ବୀ କରି ସମ୍ମାନର ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସମାଜ ସେମାନଙ୍କୁ ଅନ୍ୟଠୁ ଭିନ୍ନ କହୁଥିବା ବେଳେ ନିଜ ଦକ୍ଷତା ଓ ପ୍ରତିଭା ବଳରେ ସେ ନିଜର ବଳିଷ୍ଠ, ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଉ ଗର୍ବର ସହ କହୁଛନ୍ତି,"ହଁ ଆମେ ବି ସକ୍ଷମ । ଆମେ ବି ଏ ସମାଜରେ ମୁଣ୍ଡଟେକି ଚଳିପାରିବୁ ।" ରାଜଧାନୀ ଭୁବନେଶ୍ବରରେ ୨ ସଫଳ କିନ୍ନର ସ୍ବାବଲମ୍ବୀ ହୋଇ ସମାଜରେ ଅନ୍ୟ କିନ୍ନର ଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ।
ଥରେ ଚିନ୍ତା କରନ୍ତୁ ଏହି କିନ୍ନରଙ୍କ କଥା । ଘରଲୋକେ ପର କରିଦେବା ପରେ କେମିତି ହୋଇଥିବ ସେମାନଙ୍କ ଜୀବନଶୈଳୀ । ଘର ଲୋକ ପର କରିଦେବା ପରେ ଏଣେତେଣେ ହାତ ପତାଇ ଏମାନେ ନିଜ ଗୁଜୁରାଣ ମେଣ୍ଟାନ୍ତି । ମାତ୍ର ଏହାଠୁ ଆଗରେ ରାଜଧାନୀର ଏହି ୨ କିନ୍ନର । କାହା ଆଗରେ ହାତ ପତାଇବା ଅପେକ୍ଷା ନିଜ ପ୍ରତିଭାର ସଦୁପଯୋଗ କରି କିପରି ସମ୍ମାନର ସହ ସମାଜରେ ବଞ୍ଚିହେବ ତାର ଉଦାହରଣ ସାଜିଛନ୍ତି ଏମାନେ ।
ଏହି ୨ ସଫଳ କିନ୍ନରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସାଧନା ମିଶ୍ର । ଯିଏକି ଭୁବନେଶ୍ବରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ମାସିକ ୪୦ ହଜାର ଟଙ୍କାରେ ସେ ଚାକିରି କରନ୍ତି । ଅଫିସରେ ସହକର୍ମୀମାନଙ୍କ ସହିତ ରହି ବେଶ ସୁବିଧା ଓ ସହଜରେ କାମ କରନ୍ତି । ସମ୍ମାନର ସହ ବଞ୍ଚିବା ଲାଗି କେମିତି ସଂଘର୍ଷ କରି ସଫଳତାର ପାଦଦେଶରେ ପହଞ୍ଚିବା ସମ୍ଭବ ହୋଇପାରେ ତାହା କରିଦେଖାଇଛନ୍ତି ସାଧନା । ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କ କହିବାନୁସାରେ "କାମ ଧନ୍ଦା କରି ବି ବଞ୍ଚି ହେବ । ହାତ ପତେଇବା ଦରକାର ନାହିଁ ।" ସଂଘର୍ଷ ଭିତରେ କିପରି ସଫଳତା ପାଇହେବ ସେ କଥା କହିଛନ୍ତି ସାଧନା ।