ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନା ପରେ ଅନ୍ୟ ରାଜ୍ୟକୁ ଓଡ଼ିଶା ପଢାଉଛି ଆର୍ଥିକ ସଂସ୍କାର ପାଠ । ବଜେଟ୍ ପ୍ରସ୍ତୁତି ଓ ପରିଚାଳନା ଶିଖିବାକୁ ଓଡ଼ିଶା ଆସିଛନ୍ତି ତାମିଲନାଡୁ ଅଧିକାରୀ । ସ୍ବଚ୍ଛତାର ସହିତ ଲୋକଙ୍କ ପାଇଁ ସମସ୍ତ ତଥ୍ୟ ପ୍ରଦାନ, ଓଡ଼ିଶା ସରକାରଙ୍କ ସଫଳତାର ମାପଦଣ୍ଡ ବୋଲି ସେମାନେ କହିବା ସହ ଓଡ଼ିଶାରୁ ବଜେଟ ମେକାନିଜମ୍ ଶିଖୁଛନ୍ତି । ରାଜ୍ୟର ଆର୍ଥିକ ସଂସ୍କାରକୁ ରିଜର୍ଭ ବ୍ୟାଙ୍କ ପ୍ରଶଂସା କରିବା ସହ ଅନ୍ୟ ରାଜ୍ୟମାନେ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ ।
ସାଧାରଣ ଲୋକ ବୁଝିବା ଭଳି ପ୍ରସ୍ତୁତ ହେଉଛି ରାଜ୍ୟ ବଜେଟ୍ । ପ୍ରସ୍ତୁତି ପୂର୍ବରୁ ଅର୍ଥନୀତିଜ୍ଞ, ବ୍ୟବସାୟୀ, ନାଗରିକ ସମାଜଙ୍କ ପରାମର୍ଶ ନିଆଯାଏ । କେଉଁ କ୍ଷେତ୍ରରେ ରାଜ୍ୟ ଦୁର୍ବଳ, କେଉଁଠି ସଶକ୍ତ, ଏସବୁ ତଥ୍ୟ ସମସ୍ତଙ୍କ ପାଇଁ ଦିଆଯାଏ । ରିଜର୍ଭ ବ୍ୟାଙ୍କ, ବିଶ୍ବ ବ୍ୟାଙ୍କ, କେନ୍ଦ୍ର ସରକାର, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭଳି ସଂସ୍ଥାର ଗାଇଡଲାଇରେ ପ୍ରସ୍ତୁତ ହୁଏ ବଜେଟ୍ । କୋରୋନା ବେଳେ ବି ରାଜ୍ୟରେ ରାଜସ୍ବ ସହ ବଜେଟ ଆକାର ବଢ଼ିଛି । ଜାତୀୟ ହାରଠାରୁ ଓଡ଼ିଶାର ଆର୍ଥିକ ବିକାଶ ବି ଅଧିକ । ଏଥିପାଇଁ ଓଡ଼ିଶାର ବଜେଟ୍ ପରିଚାଳନାକୁ ସବୁଆଡୁ ପ୍ରଶଂସା ମିଳୁଛି ।