ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ । ଆଜି ଓ ଆସନ୍ତାକାଲି ରାଜ୍ୟର ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିୟନ ଏହି ଧର୍ମଘଟ ଡାକରା ଦେଇଛି ।
ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ, 5 ହଜାରରୁ ଉର୍ଦ୍ଧ୍ବ ଶାଖା ବନ୍ଦ ୟୁବିଏଫୟୁ ଧର୍ମଘଟ ଡାକରାରେ ରାଜ୍ୟର ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ସମର୍ଥନ ଜଣାଇଛନ୍ତି । ଧର୍ମଘଟ ଯୋଗୁଁ ରାଜ୍ୟର 5500ରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିଛି । ଓଡ଼ିଶାର ପ୍ରାୟ 30 ହଜାରରୁ ଅଧିକ ଅଧିକାରୀ ଓ କର୍ମଚାରୀ ଧର୍ମ ଘଟରେ ସାମିଲ ହୋଇଛନ୍ତି । କିଛି ସରକାରୀ ବ୍ୟାଙ୍କ ସହିତ ଗ୍ରାମ୍ୟ ଓ ସମବାୟ ବ୍ୟାଙ୍କ ଗୁଡିକ ଧର୍ମଘଟରେ ସାମିଲ ହୋଇଛନ୍ତି ।
ଆଜି ସକାଳୁ ବିଭିନ୍ନ ବ୍ୟାଙ୍କ ଶାଖା ଆଗରେ ଆନ୍ଦୋଳନକାରୀ ମାନେ ପିକେଟିଂ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ସରକାର ଯେଉଁ ଭଳି ଭାବେ ରାଷ୍ଟ୍ରାୟତ ବ୍ୟାଙ୍କକୁ ଘରୋଇ କରଣ କରୁଛନ୍ତି ତାହା ବେଆଇନ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।
ବ୍ୟାଙ୍କ ଧର୍ମଘଟ ଯୋଗୁଁ ସାଧାରଣ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ଶନିବାର, ରବିବାର ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଆଜି ଏବଂ କାଲି ବ୍ୟାଙ୍କ ଧର୍ମଘଟ ସମସ୍ୟା ଅଧିକ ବଢ଼େଇ ଦେଇଛି । ବ୍ୟାଙ୍କ ଶାଖାରେ ହେଉଥିବା କାରବାର, କ୍ଲିୟରିଂ ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି । ତେବେ ଅନଲାଇନ, ଡିଜିଟାଲ ବ୍ୟାଙ୍କିଙ୍ଗ ଓ ଏଟିଏମରେ ଟଙ୍କା ଉଠାଣରେ ସମସ୍ୟା ହେବନି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ