ଓଡିଶା

odisha

ETV Bharat / city

IIMC ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ସବୁ ପିଢିଙ୍କ ପାଇଁ ସେ ଥିଲେ ବିରଳ ଲେଖକ - ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ମଣିଷର ଦୁଃଖ, ଦୁର୍ଦ୍ଦଶାରେ ବ୍ୟଥିତ ସାହିତ୍ୟିକ ମନୋଜ ଦାସ ଛାତ୍ର ଜୀବନରେ ସମାଜବାଦ ଆନ୍ଦୋଳନରେ ଝାସ ଦେଇଥିଲେ । ସମାନତା ପାଇଁ ଲଢ଼େଇ କରିଥିଲେ ମାତ୍ର ପରେ ସେ ଆଧ୍ୟାତ୍ମିକତାର ରାସ୍ତା ବାଛିଥିଲେ । କହିଥିଲେ, ମାନସିକ ଚେତନା ଊର୍ଦ୍ଧ୍ବଗାମୀ ହେଲେ ହିଁ ମଣିଷ ଚିରଆନନ୍ଦଶ୍ରାୟୀ ହୋଇପାରିବ । ଅଧିକ ପଢନ୍ତୁ...

IIMC ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି
IIMC ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

By

Published : May 9, 2021, 8:32 AM IST

ଭୁବନେଶ୍ବର: ମଣିଷର ଦୁଃଖ, ଦୁର୍ଦ୍ଦଶାରେ ବ୍ୟଥିତ ସାହିତ୍ୟିକ ମନୋଜ ଦାସ ଛାତ୍ର ଜୀବନରେ ସମାଜବାଦ ଆନ୍ଦୋଳନରେ ଝାସ ଦେଇଥିଲେ । ସମାନତା ପାଇଁ ଲଢ଼େଇ କରିଥିଲେ ମାତ୍ର ପରେ ସେ ଆଧ୍ୟାତ୍ମିକତାର ରାସ୍ତା ବାଛିଥିଲେ । କହିଥିଲେ, ମାନସିକ ଚେତନା ଊର୍ଦ୍ଧ୍ବଗାମୀ ହେଲେ ହିଁ ମଣିଷ ଚିରଆନନ୍ଦଶ୍ରାୟୀ ହୋଇପାରିବ । ସମାଜବାଦରୁ ଅଧ୍ୟାତ୍ମିକତାବାଦ ପର୍ଯ୍ୟନ୍ତ ଲମ୍ବା ରାସ୍ତାର ଯାତ୍ରା ମନୋଜଙ୍କ ଜୀବନ ଓ ସାହିତ୍ୟର ପ୍ରତିଟି କ୍ଷେତ୍ରରେ ପ୍ରତିଫଳିତ ହୋଇଆସିଛି ।

IIMC ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଦୀର୍ଘକାଳ ଧରି ପାଠକଙ୍କୁ ଅମୃତ ପରଶୁ ଥିବା ମନୋଜ ଦାସ ବିଶ୍ବ ସାହିତ୍ୟ ଆକାଶରେ ଅଦ୍ବିତୀୟ, ବିସ୍ମୟ ଓ ଅବର୍ଣ୍ଣନୀୟ ଥିଲେ । ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ପକ୍ଷରୁ ପ୍ରସିଦ୍ଧ ସାହିତ୍ୟିକ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅବସରରେ ଆୟୋଜିତ ସଭାରେ ଏଭଳି ମତ ବକ୍ତାମାନେ ପ୍ରକାଶ କରିଛନ୍ତି । ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ.ମୃଣାଳ ଚାଟାର୍ଜୀ ଏହି ସଭାର ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସେ କହିଥିଲେ, ମନୋଜ ଦାସଙ୍କ ଲେଖାକୁ ଶିଶୁ, କିଶୋର, ଯୁବକ ଓ ପୌଢ଼ ସମସ୍ତେ ଭଲ ପାଉଥିଲେ, ସେଭଳି ଲେଖକ ବିରଳ ।

IIMC ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଏହାସହ କିଟ୍‍ ସ୍କୁଲ ଅଫ୍‍ ମ୍ୟାନେମେଣ୍ଟର ଡିନ୍‍ ପ୍ରଫେସର ଏସ୍‍.ଏନ୍‍ ମିଶ୍ର କହିଥିଲେ, ସମାଜବାଦରୁ ଆଧ୍ୟାତ୍ମିକତା ଜଗତକୁ ମନୋଜ ଦାସଙ୍କ ଯାତ୍ରା ତାଙ୍କ ଲେଖାକୁ ସଦାକାଳ ପ୍ରଭାବିତ କରିଆସିଛି । ମନୋଜ ଦାସ ଉଚ୍ଚସ୍ତରର ଲୋକ ସହ ସୁନ୍ଦର ଲେଖକ ହେବାର ବିରଳ ଉଦାହରଣ ସୃଷ୍ଟି କରିଯାଇଛନ୍ତି । ତାଙ୍କର ସୃଷ୍ଟି ପ୍ରତ୍ୟେକ ସ୍ତରର ଲୋକଙ୍କୁ ଛୁଇଁ ପାରିଛି । ସମସ୍ତେ ସେଥିରୁ ନିଜ ବାଗରେ ପରିପୂର୍ଣ୍ଣ ହୋଇପାରିଛନ୍ତି ବୋଲି ପ୍ରଫେସର ମିଶ୍ର କହିଥିଲେ । ଅନ୍ୟପକ୍ଷେ ବରିଷ୍ଠ ସାମ୍ବାଦିକ ଗୌତମ ବୁଦ୍ଧ ଦାସ କହିଥିଲେ, ମନୋଜ ଦାସଙ୍କ ସାହିତ୍ୟରେ ଗାଁର ପ୍ରଭାବ ସୁଦୂର ପ୍ରସାରୀ । ଭୋଗରାଇର ସମୁଦ୍ରକୂଳ ଶଙ୍ଖାରୀଠାରୁ ପଣ୍ଡିଚେରୀର ସମୁଦ୍ରକୂଳ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ନିରନ୍ତର ଦରିଆ ପରି ବିସ୍ତୀର୍ଣ୍ଣ ଥିଲା ।

ପିଲାବେଳେ ଗାଁ ନିକଟସ୍ଥ ସମୁଦ୍ର, ପୋଖରୀ, ବାତ୍ୟା, ଦୁର୍ଭିକ୍ଷ, ପ୍ରପୀଡି଼ତ ମଣିଷମାନେ ମନୋଜ ଦାସଙ୍କ ଲେଖକୀୟ ଜୀବନକୁ ଋଦ୍ଧିମନ୍ତ କରିଥିଲା ବୋଲି ବରିଷ୍ଠ ସାମ୍ବାଦିକ କହିଛନ୍ତି । ଲେଖକ ତଥା ରାଉରକେଲା ଇସ୍ପାତ କାରଖାନାର କୋର୍ପୋରେଟ ଯୋଗାଯୋଗ ବିଭାଗର ପୂର୍ବତନ ମୁଖ୍ୟ ରମେନ୍ଦ୍ର କୁମାର ମନୋଜ ଦାସଙ୍କ ଉଦାରତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ତାଙ୍କ ଲେଖାରେ, ଆଚରଣରେ ସେ ପ୍ରତ୍ୟେକ ବ୍ୟକ୍ତି ପ୍ରତି ସମ୍ବେଦନଶୀଳ ଥିଲେ । ତାଙ୍କ ସହ ବିତେଇଥିବା ଅନ୍ତରଙ୍ଗ ମୁହୂର୍ତ୍ତ ଜୀବନରେ ଅନନ୍ୟ ବୋଲି ସେ କହିଛନ୍ତି । ମନୋଜ ଦାସଙ୍କ ସାହିତ୍ୟର ସଂଗ୍ରାହକ ସମୀର ରଞ୍ଜନ ଦାସ ମନୋଜ ଦାସଙ୍କ ବ୍ୟକ୍ତିତ୍ବର ବିଭିନ୍ନ ଦିଗ ଉପରେ କହିଥିଲେ । ଜୀବନର ସବୁ ସମୟରେ ସେ ଅନ୍ତର୍ମୁଖୀ ହୋଇ ରହୁଥିଲେ ।

ସେ ଋଷି ଜୀବନ ଅତିବାହିତ କରୁଥିଲେ । ପ୍ରତ୍ୟେକ ବ୍ୟକ୍ତିର ସୁଗୁଣ, ଦୁର୍ଗୁଣକୁ ଗୁରୁତ୍ବ ନ ଦେଇ ମଣିଷ ଭାବେ ସ୍ନେହ, ଶ୍ରଦ୍ଧା, ଆଦର କରୁଥିଲେ । ସଦା ହସହସ, ପ୍ରଫୁଲ୍ଲିତ ରହୁଥିଲେ । ଏହା ନିଶ୍ଚିତ ଏକ ବିସ୍ମୟ ବୋଲି ସେ ପ୍ରକାଶ କରିଥିଲେ । ଆଇଆଇଏମ୍‍ସିର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ମନୋଜ ଦାସଙ୍କ କୃତି ଓ ବର୍ଣ୍ଣନା ଉପରେ କହିଥିଲେ । ସଦାକାଳ ପାଠକଙ୍କୁ ହସେଇ, କନ୍ଦେଇ ଚେତନାର ଏକ ଊର୍ଦ୍ଧ୍ବ ସ୍ତରକୁ ନେଇଯିବାର କ୍ଷମତା ମନୋଜ ଦାସଙ୍କ ବୈଶିଷ୍ଟ୍ୟତା । ଏହି ପିଢ଼ି ମନୋଜ ଦାସଙ୍କୁ ଦେଖିପାରିଛି, ଏହା ହିଁ ସବୁଠୁ ବଡ଼ ଭାଗ୍ୟର କଥା ବୋଲି ସେ ମତପୋଷଣ କରିଥିଲେ । ପାଠକମାନଙ୍କ ଉପରେ ମନୋଜ ଦାସଙ୍କ ଲେଖାର ପ୍ରଭାବ ସମ୍ପର୍କରେ ଗଣମାଧ୍ୟମ ଶିକ୍ଷକ ପଦ୍ମଲୋଚନ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବହୁ ମନୋଜ ସାହିତ୍ୟ ପ୍ରେମୀ, ସଂସ୍ଥାନର ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅନୁଷ୍ଠାନର ଲୋକମାନେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details