ଭୁବନେଶ୍ବର: ଆଜି ବିଶ୍ବ ଏଡ୍ସ ଦିବସ । ଦିନକୁ ଦିନ ସାରା ଦେଶରେ ଏଡ୍ସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଉ ଏହାକୁ ରୋକିବା ପାଇଁ ହେଲେ ଲୋକଙ୍କ ସଚେତନତା କରାଇବା ହିଁ ଏକ ମାତ୍ରପନ୍ଥା । ଆଉ ଏହାକୁ ଆଖି ଆଗରେ ରଖି ରାଜଧାନୀର କିନ୍ନର ସମାଜ ଏକ ସଚେତନତା ରାଲିରେ ବାହାରିଥିଲେ ।
ରାଲିଟି ରାଜମହଲରୁ ବାହାରି ଶିଶୁ ଭବନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏଡ୍ସର ଭୟାବହ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ସେହିପରି ରାଉରକେଲାରେ ମଧ୍ୟ ଏଡସ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ କିନ୍ନର । ଏହି ରୋଗର ଭୟାବହତା ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ଶୋଭାଯାତ୍ରା କରିଥିଲେ କିନ୍ନର ସଂଘର ସଦସ୍ୟ । ଜିଲ୍ଲା କିନ୍ନର ସଙ୍ଘ ସଭାପତି ଜୋୟା ତ୍ରିପାଠୀଙ୍କ ନେତୃତ୍ବରେ ରାଉରକେଲା ବାସନ୍ତୀ କଲୋନୀରୁ ବାହାରି ଥିବା ଶୋଭାଯାତ୍ରାଟି ମାଲ ଗୋଦାମ ସ୍ଥିତ କାଳୀମନ୍ଦିରରେ ଶେଷ ହୋଇଥିଲା ।