ଭୁବନେଶ୍ବର:ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ) ପକ୍ଷରୁ ଗରିମା ଯୋଜନାରେ ପ୍ରମୁଖ ପରିମଳ କର୍ମଚାରୀ ଏବଂ ପରିମଳ ସେବା ପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟ ଭୁବନେଶ୍ବର, ପୁରୀ ଏବଂ କଟକରେ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଛି ।
ଅଂଶଗ୍ରହଣକାରୀ ମାନଙ୍କୁ ସ୍ଵରେଜ ଲାଇନ ଓ ସେକ ଟାଙ୍କି ସଫା ଏବଂ ତାର ରକ୍ଷଣାବେକ୍ଷଣ ସମୟରେ ବ୍ୟବହୃତ ସୁରକ୍ଷା ଉପକରଣ (ପିପିଇ) ବ୍ୟବହାର ସମ୍ପର୍କିତ ଜ୍ଞାନ ପ୍ରଦାନ କରିବା ଶିବିରର ଉଦ୍ଦେଶ୍ୟ । ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା ଏବଂ ସମ୍ମାନକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ ସେପ୍ଟେମ୍ବର ୨୦୨୦ ରେ 'ଗରିମା' ଯୋଜନାର ଶୁଭାରମ୍ଭ କରିଥିଲେ ।
ଏହି ଯୋଜନାରେ ପ୍ରାୟ ୨୦୦୦୦ ପ୍ରମୁଖ ପରିମଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ । ପ୍ରମୁଖ ପରିମଳ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସମସ୍ତ ସୁବିଧା, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ଲାଭର ଏକ ବିସ୍ତୃତ ପ୍ୟାକେଜ୍ ପ୍ରଦାନ କରାଯିବାରେ ଦେଶରେ ଗରିମା ଯୋଜନା ସର୍ବ ପ୍ରଥମ ।
ଯାହାଦ୍ବାରା ପ୍ରମୁଖ ପରିମଳ ସେବା ଯୋଗାଣକୁ ଅନୁଷ୍ଠାନିକ ତଥା ନିୟନ୍ତ୍ରିତ କରାଯାଇପାରିବ । ୱାଟକୋ ପକ୍ଷରୁ ଭୁବନେଶ୍ବର, ପୁରୀ, କଟକ, ଜଟଣୀ , ଖୋର୍ଦ୍ଧା ଏବଂ ବ୍ରହ୍ମପୁରରେ ପାନୀୟ ଜଳ ଯୋଗାଣ ଏବଂ ସ୍ବେରେଜ ସମ୍ବନ୍ଧୀୟ ସେବା ଯୋଗାଇବା ଏହି ସଂସ୍ଥାର ମୂଳ ଉଦ୍ଦେଶ୍ୟ ।
ୱାଟକୋ ଅଧିନସ୍ଥ ସମସ୍ତ ଡିଜିଜନ ଆବଶ୍ୟକୀୟ ପିପିଇର କ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୁବଶୀଘ୍ର ଭୁବନେଶ୍ବର, ପୁରୀ ଏବଂ କଟକରେ ଥିବା ସମସ୍ତ ପଞ୍ଜୀକୃତ ପ୍ରମୁଖ ପରିମଳ କର୍ମଚାରୀ ଏବଂ ପ୍ରମୁଖ ପରିମଳ ସେବା ପ୍ରଦାନକାରୀ ସଂସ୍ଥାଙ୍କ ପାଇଁ ତାଲିମ ସମାପ୍ତ ହେବ ।