ଓଡିଶା

odisha

ସରଗିଲଙ୍କ ପରେ ସାଗରିକା, ଗର୍ଜନରେ କମ୍ପିଲା ଗାନ୍ଧୀମାର୍ଗ

By

Published : Jan 26, 2020, 7:53 PM IST

71ତମ ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ପୁରୁଷ ଦଳର ମଙ୍ଗ ସମ୍ଭାଳି ଦେଶବାସୀଙ୍କୁ ଚମକାଇ ଦେଇଥିଲେ କ୍ୟାପଟେନ ତାନିଆ ସେରଗିଲ । ଠିକ ସେହିପରି ରାଜ୍ୟ ରାଜଧାନୀ ଭୁବନେଶ୍ବର ଗାନ୍ଧୀମାର୍ଗରେ ଗର୍ଜି ଚମକିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ । ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା...

ସରଗିଲଙ୍କ ପରେ ସାଗରିକା, ଗର୍ଜନରେ କମ୍ପିଲା ଗାନ୍ଧୀମାର୍ଗ
ସରଗିଲଙ୍କ ପରେ ସାଗରିକା, ଗର୍ଜନରେ କମ୍ପିଲା ଗାନ୍ଧୀମାର୍ଗ

ଭୁବନେଶ୍ବର: ଦେଶର ଦୁଇ ରାଜଧାନୀରେ ଚମକିଲେ ଦୁଇ ବୀରାଙ୍ଗନା । ରାଜଧାନୀ ଦିଲ୍ଲୀ ଛାତିରେ ପୁରୁଷ ଟ୍ରୁପର ମଙ୍ଗ ଧରି ଦେଶବାସୀଙ୍କୁ ଦୋହଲାଇ ଦେଲେ କ୍ୟାପଟେନ ତାନିଆ ସେରଗିଲ । ସେପଟେ ଭୁବନେଶ୍ବର ଗାନ୍ଧୀମାର୍ଗରେ ‘ମୁଁ ବି କମ ନୁହେଁ’ ର ବାର୍ତ୍ତା ଦେଇଛନ୍ତି ଡିସିପି ସାଗରିକା ନାଥ ।

ସରଗିଲଙ୍କ ପରେ ସାଗରିକା, ଗର୍ଜନରେ କମ୍ପିଲା ଗାନ୍ଧୀମାର୍ଗ

ଦେଶ ରବିବାର 71ତମ ଗଣତନ୍ତ୍ର ଦିବସ ପାଳନ କରିଛି । ସବୁ ଆଡେ ତ୍ରିରଙ୍ଗା ତରଙ୍ଗାୟିତ ହେଲା । ଆଉ ରାଜ୍ୟ ସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ମାତ୍ର ଚର୍ଚ୍ଚାରେ ଥିଲେ ଟ୍ରାଫିକ ଡିସିପି ସାଗରିକା ନାଥ । ପରେଡରେ କମାଣ୍ଡିଂ କରିଥଲେ ଡିସିପି ସାଗରିକା ।

ବାପା ପ୍ରଦୀପ କୁମାର ନାଥ, ମାଆ କଳ୍ପନା ପାଣି ଆଉ ଦୁଇ ଭଉଣୀଙ୍କୁ ନେଇ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ପରିବାର । ଛୋଟବେଳୁ ଦାମନଯୋଡିରେ ପାଠପଢା ସାରିଥିଲେ ସାଗରିକା । ପରେ ଉଚ୍ଚଶିକ୍ଷା ପାଇଁ ବାହାରେ ରହିଥିଲେ । 2016 ବ୍ୟାଚର ଆଇପିଏସ ସାଗରିକା ପୂର୍ବରୁ ଅନେକ ସ୍ଥାନରେ ନିଜର ଦାୟିତ୍ବ ନିର୍ବାହ କରିଛନ୍ତି । ମାତ୍ର ଆଜିର ଦୃଶ୍ୟ ଥିଲା ସବୁଠାରୁ ନିଆରା । ତାଙ୍କ ଗର୍ଜନରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରା ଗାନ୍ଧୀମାର୍ଗ । ସାଧାରଣତନ୍ତ୍ର ଦିବସରେ କିଛି ଏମିତି ଅବତାରରେ ଥିଲେ ଭୁବନେଶ୍ବର-କଟକ ଟ୍ରାଫିକ ଡିସିପି ସାଗରିକା ନାଥ । ଆଗେ ଆଗେ ପରେଡର କମାଣ୍ଡ ଦେଇ ଚାଲିଥିଲେ ସାଗରିକା । ତାଙ୍କ ନେତୃତ୍ବରେ ସମସ୍ତ ପରେଡ ଟ୍ରୁପ ଗୁଡିକ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ଆଗକୁ ଆଗକୁ ଚାଲିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରେଡରେ 48ଟି ଟ୍ରୁପ ଅଂଶଗ୍ରହଣ କରିଥିବାବେଳେ, 12ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ସାମିଲ ହୋଇଥିଲା ।

ସାଧାରଣତନ୍ତ୍ର ଦିବସର କାର୍ଯ୍ୟକ୍ରମରେ ଚର୍ଚ୍ଚାରେ ଥିଲେ ଟ୍ରାଫିକ ଡିସିପି ସାଗରିକା ନାଥ । ନାମ ହିଁ ଯଥେଷ୍ଟ । ସମସ୍ତଙ୍କ ସହ ଉତ୍ତମ ବ୍ୟବହାର, ସହଯୋଗୀଙ୍କ ସହ କାମ କରିବାର ମଜା ଆଉ କୁନି କୁନି ପିଲାଙ୍କ ଗହଣରେ ହୋଇଯାନ୍ତି ଛୋଟପିଲା । ହେଲେ ଆଜି ଗାନ୍ଧୀମାର୍ଗରେ ନିଜ ପରେଡ ଗର୍ଜନ ଓ ପରେଡ କମାଣ୍ଡିଂରେ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ସେ। ପୂର୍ବରୁ ଏନସିସି ଓ ନ୍ୟାସନାଲ ପୋଲିସ ଏକାଡେମୀରେ ପ୍ରତିଭା ଦେଖାଇଥିବା ସାଗରିକା ଏବେ ରାଜ୍ୟବାସୀଙ୍କ ସମ୍ମୁଖରେ ନିଜର ପ୍ରତିଭା ଦେଖାଇ ଗୌରବ ମଣିଛନ୍ତି । ଯାହାକୁ ନେଇ ଖୁସିରେ ଗଦଗଦ ସାଗରିକାଙ୍କ ପରିବାର।

କେବଳ ପରିବାର ନୁହଁନ୍ତି ବରିଷ୍ଠଙ୍କ ଠାରୁ କନିଷ୍ଠ ସବୁ ଅଫିସର ସାଗରିକାଙ୍କ ଏଭଳି ପ୍ରଦର୍ଶନକୁ ନେଇ ତାଙ୍କୁ ବେଶ ତାରିଫ କରିଛନ୍ତି । କେବଳ ଯେ, ନିଜର ଦାୟିତ୍ବ ତାହା ନୁହେଁ ପେଣ୍ଟିଂ, ଓଡିଶୀ ନୃତ୍ୟ, ଖେଳକୁଦ ଓ କରାଟେରେ ବି ଅନେକ କୃତିତ୍ବ ହାସଲ କରିଛନ୍ତି ଆଇପିଏସ ଅଫିସର ସାଗରିକା ନାଥ ।

ଭୁବନେଶ୍ବରରୁ ତାପସ କୁମାର ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details