ଭୁବନେଶ୍ବର: ରାଜ୍ୟରେ ପିଆଜ ଦର 80 ପାର ହେବାକୁ ବସିଲାଣି । ଯାହା ଏବେ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଉ ଏହାପରେ ଆରମ୍ଭ ହୋଇଯାଇଛି ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୁ ତୁ ମେ ମେ । ଗୋଟେ ପଟେ ବିରୋଧୀ ଶାସକ ଦଳକୁ ଦାୟୀ କରିଥିବା ବେଳେ ଅନ୍ୟପଟେ ଶାସକ ଦଳ ଖୁବଶୀଘ୍ର ପିଆଜ ଦର ନିୟନ୍ତ୍ରଣ ହେବ ବୋଲି କହିଛି । ପୁଣି ଅନ୍ୟପଟେ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ବ୍ୟବସାୟୀ ସଂଘ ।
ରାଜ୍ୟ ଏହାର ବିକଳ୍ପ ବ୍ୟବସ୍ଥା କ'ଣ ନାହିଁ ନା ସରକାରଙ୍କ ପାଖରେ ଆନ୍ତରିକତା ନାହିଁ ବୋଲି ଏଭଳି କିଛି ପ୍ରଶ୍ନ କରିଛି ବ୍ୟବସାୟୀ ସଂଘ । ପ୍ରତିବର୍ଷ ପିଆଜ ଦର ଏହି ସମୟରେ ବଢ଼ୁ ଥିବାରୁ କାରଣ ଯାହା ହେଉନା କାହିଁକି ସାଧାରଣ ଖାଉଟି ମୁଣ୍ଡରେ ଚଡକ ପକାଇ ଦେଉଛି । ଏନେଇ ବ୍ୟବସାୟୀ ମହାସଂଘ କହିଛି ଯେ, ପିଆଜ ଦର ନିଶ୍ଚିତ ରୁପେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ଆନ୍ଧ୍ର ଏବଂ ବେଙ୍ଗାଲୁରୁ ପିଆଜ ଲଗାଣ ବର୍ଷାରେ ନଷ୍ଟ ହୋଇଥିବା କାରଣରୁ ପିଆଜ ଦର ବଢିଛି । ଏହାସହ ନାସିକରେ ମଧ୍ୟ ସମାନ ଧରଣର ପରିସ୍ଥିତି । ଆମ ରାଜ୍ୟ ବହାର ରାଜ୍ୟ ଉପରେ ନିର୍ଭର କରେ । ରାଜ୍ୟରେ ପିଆଜ ଉତ୍ପାଦନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉ ନାହିଁ । ରାଜ୍ୟରେ ଶୀତଳଭଣ୍ଡାର ମଧ୍ୟ ଅଭାବ ରହିଛି । ଫଳରେ ଆମକୁ ନାସିକ ଉପରେ ନିର୍ଭର ହେବାକୁ ପଡୁଛି । ସେପଟେ ସେଠାରେ ବନ୍ୟା ଯୋଗୁଁ ପିଆଜ କମ ଆମରଦାନୀ ହେଉଥିବାରୁ ଦର ବଢୁଛି ବୋଲି କହିଛି ବ୍ୟବସାୟୀ ସଂଘ । ସେଠାରୁ ୬୦ ଟଙ୍କାରେ ପିଆଜ ଆମଦାନୀ ହେଉଛି । ଫଳରେ ରାଜ୍ୟରେ ପିଆଜ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତି ଶଙ୍କର ମିଶ୍ର । ଦୀପାବଳି ପରେ ନାସିକରେ ଦ୍ଵିତୀୟ ଫସଲ ଆମଦାନୀ ହେବ ତାପରେ ଦର ନିୟନ୍ତ୍ରଣ ହେବ ବୋଲି ସେ କହିଛନ୍ତି ।