ଭୁବନେଶ୍ବର: କୋରୋନା କାଳରେ ପ୍ରଭାବିତ ଟ୍ରେଡ ଲାଇସେନ୍ସ । ବିଏମସି ଟ୍ରେଡ଼ ଲାଇସେନ୍ସ କାର୍ଯ୍ୟରେ କୋରୋନା ସାଜିଛି ବାଧକ । ଟ୍ରେଡ଼ ଲାଇସେନ୍ସ ରିନିୟୁ ଓ ଫି ଆଦାୟ ହୋଇ ପାରୁ ନାହିଁ । ସେଥିପାଇଁ ବିଏମସି ୨୦୧୯ -୨୦ ବର୍ଷରେ ରାଜସ୍ବ ହରାଇଛି । ମାର୍ଚ୍ଚ ପୂର୍ବରୁ ଟ୍ରେଡ ଲାଇସେନ୍ସ ଫି ଆଦାୟ ହେଉଥିଲା । ହେଲେ କୋରୋନା କଟକଣା ପାଇଁ ନା ନୂଆ ଟ୍ରେଡ଼ ଲାଇସେନ୍ସ ହୋଇପାରୁଛି ନା ନୂଆ ରିନିୟୁ ହୋଇପାରୁଛି । ଯାହା ଦ୍ବାରା ବିଏମସିର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଛି । ଏବେ ସ୍ଥିତି ସ୍ୱାଭାବିକ ହେଲା ପରେ ଅନଲାଇନ ମାଧ୍ୟମରେ ଟ୍ରେଡ଼ ଲାଇସେନ୍ସ ଆବେଦନ କରିପାରିବେ ଆବେଦନକାରୀ ।
ଭୁବନେଶ୍ବରର କଳେବର ବୃଦ୍ଧି ପାଉଥିବାରୁ ଦୋକାନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ବ୍ୟବସାୟ ପ୍ରତିଷ୍ଠାନ ଓ ବ୍ୟବସାୟ କରୁଥିବା ଜିନିଷକୁ ଦେଖି ଟ୍ରେଡ଼ ଲାଇସେନ୍ସ ଫି ଆଦାୟ କରାଯାଏ । ସର୍ବନିମ୍ନ ୫୦୦ ଟଙ୍କା ଆଦାୟ କରାଯାଏ । ପୂର୍ବରୁ ଟ୍ରେଡ଼ ଲାଇସେନ୍ସ ଫି ଆଦାୟ ଅନୁଯାୟୀ ଏପ୍ରିଲ ରୁ ଜୁନ ମାସ ମଧ୍ୟରେ ସର୍ବାଧିକ ଟ୍ରେଡ଼ ଲାଇସେନ୍ସ ରିନିୟୁ କରନ୍ତି ବ୍ୟବସାୟୀକ ପ୍ରତିଷ୍ଠାନ । ହେଲେ ମାର୍ଚ୍ଚ ମାସରୁ କୋରୋନା ଲକଡାଉନ କାରଣରୁ ନୂଆ ଟ୍ରେଡ଼ ଲାଇସେନ୍ସ ତ ଦୂରର କଥା ପୁରୁଣା ଲାଇସେନ୍ସ ମଧ୍ୟ ରିନିୟୁ ହୋଇପାରିଲା ନାହିଁ । ମିଳିଥିବା ତଥ୍ୟ ଅନୁଯାୟୀ, ଲକଡାଉନ ପୂର୍ବରୁ ପ୍ରତି ମାସରେ ପ୍ରତି ଜୋନ ପିଛା ନୂଆ ଟ୍ରେଡ଼ ଲାଇସେନ୍ସ ପ୍ରାୟ ୫୦ ରୁ ୬୦ଟି ଆବେଦନ ହୋଇଥାଏ । ମୋଟ 3ଟି ଜୋନରୁ ପ୍ରାୟ ୨୦୦ଟି ନୂଆ ଟ୍ରେଡ଼ ଲାଇସେନ୍ସ ଆବେଦନ ହୁଏ ।
ଏପଟେ ରିପୋର୍ଟ ଦେଖିଲେ, ୨୦୧୮-୨୦୧୯ ଆର୍ଥିକ ବର୍ଷରେ ୪ କୋଟି ୪୦ ଲକ୍ଷ ୨୫ ହଜାର ଟ୍ରେଡ଼ ଲାଇସେନ୍ସରୁ ଫି ଆଦାୟ ହୋଇଥିଲା । ୨୦୧୯-୨୦୨୦ ଆର୍ଥିକ ବର୍ଷରେ ୪ କୋଟି ୨ ଲକ୍ଷ ୬୨ ହଜାର ଓ ୨୦୨୦-୨୦୨୧ ଆର୍ଥିକବର୍ଷରେ ୧ କୋଟି ୧୩ ଲକ୍ଷ ୩୭ ହଜାର ଆଦାୟ ହୋଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଚଳିତ ବର୍ଷ କୋରୋନା ଲକଡାଉନ କଟକଣା ଯୋଗୁଁ ଟ୍ରେଡ଼ ଲାଇସେନ୍ସ ପ୍ରଭାବିତ ହୋଇଛି । ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୯୨୬ ଜଣ ଟ୍ରେଡର ଟ୍ରେଡ଼ ଲାଇସେନ୍ସ ରିନିୟୁ କରିଛନ୍ତି । ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୪୩୯୩ ଟ୍ରେଡରଙ୍କ ଲାଇସେନ୍ସର ବୈଧତା ସମାପ୍ତ ହୋଇଛି ।