ଭୁବନେଶ୍ବର: ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ନେଇ ଗୃହରେ ତାତି । ମନ୍ତ୍ରୀଙ୍କ ସହ ଯାଇଥିବା ଦୁଇ ମହିଳାଙ୍କ ପରିଚୟ ମାଗିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ | ସରକାରୀ ଅର୍ଥରେ ଯାଇଥିଲେ କି ନାହିଁ ସେ ନେଇ ତଥ୍ୟ ଦାବି କରିଛନ୍ତି ସେ ।
‘ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦକୁ ମା ସହ ବାଛୁରୀ ଫ୍ରି’ - ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ
ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦୁଇ ମହିଳାଙ୍କୁ ନେଇ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ଯିବା ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ ।
ଏଥିସହ କେଉଁ ଅଧିକାରରେ ମନ୍ତ୍ରୀ ସରକାରୀ ଖର୍ଚ୍ଚରେ ଏହି ଦୁଇ ମହିଳାଙ୍କୁ ସାଙ୍ଗରେ ନେଇଥିଲେ ସେନେଇ ମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ଏବଂ ସେ ଆଉ ମନ୍ତ୍ରୀପଦରେ ରହିବାର ଅଧିକାର ନାହିଁ ବୋଲି ଦାବି କରିଛନ୍ତି ବିରୋଧି ଦଳ ନେତା । ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଘେରିଛନ୍ତି । ସେ ବ୍ୟଙ୍ଗ କରି କହିଥିଲେ ଯେ, ଲୋକେ କହୁଛନ୍ତି ଗାଈ ସହ ବାଛୁରୀ ଫ୍ରି । ନବୀନ ପଟ୍ଟନାୟକଙ୍କ ଉପରେ ଆଜି ଯାଏଁ ଏଭଳି ଅଭିଯୋଗ କେବେ ଆସିନଥିବା ବେଳେ ତାଙ୍କ ମନ୍ତ୍ରୀଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ଲଜ୍ଜାଜନକ । ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ସେ ଦାବି କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ନାରବାଜୀ କରିଥିଲେ ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ