ଭୁବନେଶ୍ବର: ଉତ୍ତର ନିର୍ବାଚନ ମଣ୍ଡଳୀରେ ଏଥର ୩ ନୂଆ ମୁହଁ । କିଏ ଦେବ କାହାକୁ ଟକ୍କର ? କାହାର ପଲା ହେବ ଭାରି ? ପୂର୍ବପରି ଶାସକ ଦଳ ବାଜିମାତ କରିବ ନା ଉତ୍ତରରେ ପଦ୍ମ ଫୁଟିବ, ନା କଂଗ୍ରେସ ଖୋଲିବ ତାର ଖାତା? ଉତ୍ତର ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଲଢ଼େଇକୁ ନେଇ ଏବେ ଢେର ଚର୍ଚ୍ଚା । ଶାସକ ଦଳ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ପୁଣି ଥରେ ବିଜୟୀ ହେବାର ଆଶା ବାନ୍ଧିଥିବାବେଳେ କେନ୍ଦ୍ର ସରକାରଙ୍କ ବିକାଶ ଧାରାକୁ ନେଇ ବିଜେପି ମଧ୍ୟ ବେଶ ଆଶାବାଦୀ ।
୨୦୦୯ରେ ପ୍ରଥମ ଥର କରି ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଏକାକୀ ଶାସକ ବିଜେଡି ବାଜିମାତ କରି ଶାସନକୁ ଆସିଥିଲା । ୨୦୧୪ରେ ଏଠାରେ ବିଜେଡି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ବାଜିମାତ କରିଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ ଭୋଟର ସଂଖ୍ୟା ୨ ଲକ୍ଷ ୭୦ ହଜାର ଥିଲା । ଏଥର ପ୍ରିୟଦର୍ଶୀଙ୍କୁ ବାଦ ଦେଇ ଦଳ ନୂଆ ଚେହେରା ସୁଶାନ୍ତ ରାଉତଙ୍କୁ ଟିକେଟ ଦେଇଛି । ଯଦିଓ ସେ ରାଜନୀତିରେ ନବାଗତ ତଥାପି ସେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ନେଇ ନିଜେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି । ନବୀନ ବାବୁଙ୍କ ବିକାଶ ଧାରାରେ ଏ ନିର୍ବାଚନ ମଣ୍ଡଳୀ ପୁଣି ଥରେ ବିଜେଡିକୁ ଜୟଯୁକ୍ତ କରିବ ବୋଲି ସେ କହିଛନ୍ତି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହିଁ ଭୋଟରଙ୍କୁ ଆକୃଷ୍ଟ କରିବ ବୋଲି ସେ କହିଛନ୍ତି ।
ସେହିପରି ବିଜେପି ଏଥର ଚଳଚ୍ଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଅପରାଜିତା କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ଯୋଜନା ଓ ମୋଦିଙ୍କ ବିକାଶ ଧାରାକୁ ନେଇ ନିର୍ବାଚନ ଲଢ଼ୁଛନ୍ତି ବୋଲି କହିଛନ୍ତି । ଲୋକେ ମୋଦିଙ୍କ ଜନକଲ୍ୟାଣ କରି କାର୍ଯ୍ୟକ୍ରମ ଯୋଗୁଁ ଲୋକେ ତାଙ୍କୁ ନିଶ୍ଚୟ ଭରସା କରିବେ ବୋଲି ଅପରାଜିତା କହିଛନ୍ତି । ୧୯ ବର୍ଷ ଧରି ଶାସକ ଦଳର ବିଫଳତାକୁ ନେଇ ସେ ଲୋକଙ୍କ ପାଖରେ ପରିବର୍ତ୍ତନର ସ୍ବର ଦେଖିବାକୁ ପାଉଛନ୍ତି ।