ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଖୋର୍ଦ୍ଧାର ବରୁଣେଇ ପୀଠ ଓ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି । ଏଭଳି ଏକ ଶିକ୍ଷାନୁଷ୍ଠାନକୁ ରାଷ୍ଟ୍ରପତିଙ୍କ ଆଗମନ ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ବିଷୟ । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ସମସ୍ତେ ବ୍ୟାକୁଳ ହୋଇଛନ୍ତି ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ।
ଆଜି ସନ୍ଧ୍ୟାରେ ଆସି ରାଷ୍ଟ୍ରପତି ଭୁବନେଶ୍ବରରେ ବିମାନବନ୍ଦରରେ ପହଞ୍ଚିବେ । ପରେ ରାଜଭବନରେ କରିବେ ରାତ୍ରୀଯାପନ । ଆସନ୍ତାକାଲି ଖୋର୍ଦ୍ଧା ଓ ଉତ୍କଳ ବିଶ୍ଵବିଦ୍ୟାଳୟର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାବେଳେ ସମ୍ପୂର୍ଣ୍ଣ ରୂପେ ହାଇ ସିକ୍ୟୁରିଟିରେ ରହିଛି ରାଷ୍ଟ୍ରପତିଙ୍କ ଗସ୍ତ। ଏପଟେ ଉତ୍କଳ ବିଶ୍ବବିଦ୍ୟାଳୟରେ ଏକ ପ୍ରକାର ଉତ୍ସକତା ଆଲୁମୁନି ସଦସ୍ୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଯାଇଛି। ଏହାକୁ ନେଇ ଜୋରଦାର ପ୍ରସ୍ତୁତି ସହ ସାଜସଜା ମଧ୍ୟ ଆରମ୍ଭ ହୋଇଯାଇଛି।
ସେପଟେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କମିଶନର ବ୍ଲୁ ବୁକ ନିୟମ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ପ୍ରଥମେ ଖୋର୍ଦ୍ଧାର ବରୁଣେଇ ପୀଠରେ ପାଇକ ମେମୋରିଆଲ ଫାଉଣ୍ଡେସନ ସଭାରେ ଯୋଗଦେବେ ରାଷ୍ଟ୍ରପତି। ସେଠାରୁ ଉତ୍କଳ ବିଶ୍ଵବିଦ୍ୟାଳୟ ଆସି ପ୍ଲାଟିନମ ଜୁବୁଲିର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ।