ଭୁବନେଶ୍ବର: ରାଜ୍ୟର ସବୁ ପୌରାଞ୍ଚଳରେ ପଲିଥିନ ଓ ସିଙ୍ଗଲ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ହୋଇଛି । ଆସନ୍ତାକାଲି ଠାରୁ ଏନେଇ କଟକଣା ଲାଗୁ ହେବ । ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମା ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର 5ଟି ମହାନଗର ନିଗମ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ସହ ପୁରୀ ପୌରାଞ୍ଚଳରେ ପ୍ରଥମ ଦଫାରେ ପ୍ଲାଷ୍ଟିକ ବ୍ୟାନ କରାଯାଇଥିଲା । ଏବେ ଅନ୍ୟ ପୌରାଞ୍ଚଳରେ ଏହା ଲାଗୁ ହେବ । ଏହି ଅଞ୍ଚଳରେ କୌଣସି ବ୍ୟକ୍ତି ସିଙ୍ଗଲ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବିକ୍ରୀ, କାରବାର, ଆମଦାନୀ, ସଂରକ୍ଷଣ, ବ୍ୟବହାର, ପରିବହନ କିମ୍ବା ବାଣ୍ଟି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
କମ୍ପୋଷ୍ଟ ହେଉଥିବା ପଲିଥିନ ବ୍ୟତୀତ କୌଣସି ପଲିଥିନ ବ୍ୟାଗ ବ୍ୟବହାର ହୋଇ ପାରିବ ନାହିଁ । 200 ମିଳିଲିଟରରୁ କମ ୱାଟର ବଟଲ ନିଷିଦ୍ଧ ହୋଇଛି । ସେହିଭଳି ସିଙ୍ଗଲ ୟୁଜ ପ୍ଲାଷ୍ଟିକ କପ୍, ଥର୍ମ କୁଲ, ପ୍ଲେଟ, ଚାମଚ, ଗ୍ଲାସ, ବାଉଲ, ପାଉଚ, କଣ୍ଟେନରକୁ ନିଷିଦ୍ଧ କରାଯାଇଛି । କେବଳ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ପାଇଁ ଉତ୍ତମ ମାନର ପ୍ଲାଷ୍ଟିକ ବ୍ୟବହାର କରିବାକୁ କୁହାଯାଇଛି । ଥର୍ମୋକୁଲ ଡେକୋରେଟିଭ ସାମଗ୍ରୀ ଯେପରିକି ପ୍ଲାଷ୍ଟିକ ଫୁଲ ବି ନିଷିଦ୍ଧ ହୋଇଛି । ଦୁଗ୍ଧଜାତ ସାମଗ୍ରୀ, ଖାଦ୍ୟ ପ୍ୟାକେଟ, ଖାଇବା ତେଲ କ୍ଷେତ୍ରରେ 50 ମାଇକ୍ରନରୁ କମ ପଲିଥିନ ବ୍ୟବହାର ଉପରେ ରୋକ ଲଗାଯାଇଛି ।