ଓଡିଶା

odisha

ETV Bharat / city

ଆଜି ବାଜି ରାଉତଙ୍କ ଜୟନ୍ତୀ - ଓଡ଼ିଶାର ବୀରପୁତ୍ର ବାଜି ରାଉତ

ଭାରତୀୟ ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ । କଳିଙ୍ଗ ଗଡର ଯୋଦ୍ଧା । ମାତ୍ର 12 ବର୍ଷ ବୟସରେ ଦେଶ ପାଇଁ ଶହୀଦ ହେଇଥିବା ବେଳେ ଆଜି ହେଉଛି ତାଙ୍କର ଜନ୍ମ ଜୟନ୍ତୀ ।

ଫାଇଲ ଫଟୋ

By

Published : Oct 5, 2019, 12:04 PM IST

ହାଇଦ୍ରାବାଦ: କଳିଙ୍ଗ ଗଡ଼ର କନିଷ୍ଠ ଯୋଦ୍ଧା ସେ । ଯେଉଁଠି ଗୋରା ସାହେବଙ୍କ ବିରୋଧରେ ଲଢିବା ପାଇଁ ସାହାସ ଯୁଟାଇ ପାରୁନଥିଲେ, ସେଠାରେ ସମଗ୍ର ଓଡ଼ିଆ ଜାତିର ପ୍ରାଣ ରକ୍ଷା କରିବାକୁ ଯାଇ ସେ ସହିଦ ହୋଇଥିଲେ । ଢେଙ୍କାନାଳର ନୀଳକଣ୍ଠପୁର ଗ୍ରାମରେ ଆଜିର ଦିନରେ ଜନ୍ମ ନେଇଥିଲେ ଦେଶର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ବାଜି ରାଉତ।

1926 ମସିହା ଅକ୍ଟୋବର 5 ତାରିଖରେ ବାଜି ରାଉତ ଢେଙ୍କାନାଳ ନୀଲକଣ୍ଠପୁର ଗାଁର ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସେ । ବାଜିଆ, ତାଙ୍କର ଡାକ ନାଁ । ପିଲାଟି ବେଳୁ ବାପାଙ୍କୁ ହରାଇ ସେ, ମାଆଙ୍କ ଦ୍ବାରା ପ୍ରତିପାଳିତ ହୋଇଥିଲେ । ଆଉ ହେତୁ ପାଇବା ପରେ ଢେଙ୍କାନାଳ ରାଜାଙ୍କ ଅତ୍ୟାଚାରକୁ ଅନୁଭବ କରିପାରିଥିଲେ । ଅତି କୋମଳ ବୟସରୁ ବାଜିଆ ରାଜାଙ୍କ ବିରୋଧରେ ହୋଇଥିବା ପ୍ରଜାମଣ୍ଡଳରେ ସାମିଲ ହୋଇଥିଲେ।

ମୋଗଲବନ୍ଦୀ ଅଞ୍ଚଳରେ ଜମିଦାର ଓ ଗଡଜାତ ଅଞ୍ଚଳରେ ରାଜା ଶାସନ ନାମରେ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଶୋଷଣ, ବେଠି, ବେଗାରି, ଜୋର ଜବରଦସ୍ତ ଟିକସ ଅସୁଲ, ମନମୁଖି ଶାସନ, ମିଥ୍ୟା ମୋକଦ୍ଦମାରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣରେ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇ ବିସ୍ଫୋରଣର ରୂପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାକୁ କଳେବଳେ କୌଶଳେ ଦମନ କରିବାରେ ଲାଗିଥିଲେ । ଏହି ସବୁ ଗଡଜାତ ହେଉଥିବା ଆନ୍ଦୋଳନ ସେତେବେଳେ ସମଗ୍ର ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା ।

ସେହି ଦିନ ଥିଲା 1938 ଅକ୍ଟୋବର 11, ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଜି। ପ୍ରଜାମଣ୍ଡଳର ସିପାହୀ ସାଜିଥିବା ବାଜିଆଙ୍କ ସେଦିନ ଡଙ୍ଗା ଘାଟ ଜଗିବାର ପାଳିଥିଲା । ଆଉ ପ୍ରଜାମଣ୍ଡଳର ହୁକୁମ ଅନୁଯାୟୀ, କୌଣସି ଗୋର ଫଉଜ ଯେପରି ନଦୀ ପାର ନ ହୁଅନ୍ତି । ଆଶଙ୍କାକୁ ସତ କରି ପୋଲିସ ପ୍ରଜାମଣ୍ଡଳର ଆନ୍ଦୋଳନକୁ ଦମନ କରିବାକୁ ଆସିଲେ । ମାତ୍ର ସେମାନଙ୍କ ଆଦେଶ ସତ୍ତ୍ବେ ବାଜି ରାଉତ ଘାଟରୁ ଡଙ୍ଗା ଫିଟାଇନଥିଲେ । ପୋଲିସର ଧମକ ଚମକ ପରେ ମଧ୍ୟ ବାଜିଆ ତାଙ୍କ ଜିଦରେ ଅଟଳ ରହିବାରୁ, ତାଙ୍କୁ ସେମାନେ ସେଠାରେ ଗୁଳିକରି ହତ୍ୟା କଲେ ।

ଏହାପରେ ଡଙ୍ଗା ମଝି ନଈ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କରିଥିଲେ। ଏହା ଯୋଗୁଁ ପ୍ରାୟ 7 ଜଣ ଶହୀଦ ହୋଇଗଲେ । ସେବେଠାରୁ ଆଜି ଯାଏ, ବାଜି ରାଉତଙ୍କ ପରାକ୍ରମକୁ ପଢି ଆସୁଛନ୍ତି ପିଲାଏ।

ABOUT THE AUTHOR

...view details