ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ରଣପୁରରୁ ଏସଟିଏଫ ଟିମ ଲକ୍ଷ୍ମୀଧର ନାୟକଙ୍କୁ ଗିରଫ କରିବା ପରେ ପଦାକୁ ଆସିଛି ବାଘ ଛାଲ ଡିଲ ପଛର କାହାଣୀ । ଏହି କାହାଣୀର ଲାଇଭ ଭିଡିଓ ଲାଗିଛି ଇଟିଭି ହାତରେ । ଯେଉଁଥିରେ ଆପଣ ଦେଖିପାରିବେ ସମିତି ସଭ୍ୟ ଲକ୍ଷ୍ମୀଧର କିଭଳି ନିଜେ ବାଘ ଶିକାର କରିବା ପରେ ତାହାର ଛାଲ ବାହାର କରୁଛି ଆଉ ପରେ ଡିଲ କରୁଛି । ଏଥିରୁ ସମିତି ସଭ୍ୟ ନିଜ କ୍ଷମତାର ଅପବ୍ୟବହାର କରୁଥିବା ସ୍ପଷ୍ଟ ବାରି ହେଉଛି ।
ଗୋଟିଏ ଭିଡିଓରେ ବାଘ ଶିକାର କରିବା ପରେ ତାହାର ଛାଲ ବାହାର କରୁଥିବା ନଜର ଆସିଥିବା ବେଳେ ଅନ୍ୟ ଭିଡିଓରେ ଛାଲକୁ ଅଖା ଭିତରୁ ବାହାର କରି ଦଲାଲଙ୍କ ସହ ଡିଲ କରୁଛି ଶିକାରୀ । ଭିଡିଓରେ ଲକ୍ଷ୍ମୀଧରଙ୍କ ସମେତ ୪ ଜଣ ରହିଥିବା ଥିବା ଜଣାପଡ଼ୁଛି । ନିକଟରେ ବାଘ ଛାଲ ବେପାରୀ ଲକ୍ଷ୍ମୀଧର ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଏବେବି ଗିରଫ ହୋଇନାହାନ୍ତି । ଏବେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ବଡ଼ ପ୍ରମାଣ ଲାଗିଛି । ଏହି ଭିଡ଼ିଓ ଆଧାରରେ ବାକି ଅଭିଯୁକ୍ତ ଗିରଫ ହେବେ ବୋଲି ସୂଚନା ମିଳିଛି ।