ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ଟିକେଟ ବଣ୍ଟାକୁ ନେଇ ସବୁ ଦଳରେ ଅସନ୍ତୋଷ । କଂଗ୍ରେସ ଓ ବିଜେପି ପରେ ବିଜେଡିରେ ମଧ୍ୟ ଅସନ୍ତୁଷ୍ଟ ଆଶାୟୀଙ୍କ ସମର୍ଥକମାନେ ନବୀନ ନିବାସରେ ଲବି ଆରମ୍ଭ କରିଛନ୍ତି । କେଉଁଠି ସ୍ଥାନୀୟ ବିଧାୟକଙ୍କ ଅପାରଗତାକୁ ବିରୋଧ ତ କେଉଁଠି ସ୍ଥାନୀୟ ବାସିନ୍ଦା ପ୍ରସଙ୍ଗ ହୋଇଛି ।
ଏମିତି ସ୍ଥାନୀୟ ବିଧାୟକଙ୍କୁ ବିରୋଧ କରି ବଡମ୍ବା, ଆନନ୍ଦପୁର, ପାଲଲହଡ଼ାର ଅଞ୍ଚଳର ବହୁ ନେତା ଏବଂ କର୍ମୀ ଆଜି ନବୀନ ନିବାସ ଆସିଥିଲେ । ବଡମ୍ବାରେ ବିଧାୟକ ଦେବୀ ମିଶ୍ରଙ୍କୁ ବିରୋଧ କରାଯାଇଥିବା ବେଳେ ଆନନ୍ଦପୁରରେ ବିଧାୟକ ମାୟାଧର ଜେନା ଓ ପାଲଲହଡ଼ାରେ ମହେଶ ସାହୁଙ୍କୁ ବିରୋଧ କରାଯାଇଛି ।
ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ୍, ଭୁବନେଶ୍ବର ଦେବୀ ମିଶ୍ର ନିଜ ଅଞ୍ଚଳର ଉନ୍ନତିକରଣରେ ବିଫଳ ହୋଇଥିବା ବେଳେ ମାୟାଧର ଜେନା ଭୋଟରଙ୍କ ସହ ରହିନଥିବା ଅଭିଯୋଗ ହୋଇଛି । ସେହିପରି ମହେଶ ସାହୁ ପାଲଲହଡ଼ା ବାସିନ୍ଦା ନୁହନ୍ତି । ଆଜି ଯାଏଁ ପାଲଲହଡ଼ାରୁ ସବୁବେଳେ ବାହାରର ପ୍ରାର୍ଥୀ ହେଉଥିବାରୁ ସ୍ଥାନୀୟ କର୍ମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଣୁ ଆଶାୟୀଙ୍କ ସମର୍ଥକମାନେ ବିଜେଡିକୁ ସମର୍ଥନ କରୁଥିବାବେଳେ ବିଧାୟକଙ୍କୁ ବିରୋଧ କରୁଛନ୍ତି । ପୁଣିଥରେ ବିଧାୟକଙ୍କୁ ପ୍ରାର୍ଥୀ କରାଗଲେ ସେମାନେ ବିରୋଧୀ ଶିବିରରେ ସାମିଲ ହେବେ ବୋଲି କହିଛନ୍ତି ।
ସେପଟେ ପୁଣିଥରେ ସାଂସଦ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ଲୋକସଭାରେ ତାଙ୍କ ପ୍ରଦର୍ଶନ ଭଲ ଥିବାରୁ ତାଙ୍କୁ ଷଷ୍ଠ ଥର ପାଇଁ ବିଜେଡି ଟିକେଟ ମିଳିପାରେ ବୋଲି ଆଜି ନବୀନ ନିବାସ ଆସିଥିବା ସାଂସଦ ପାଟ୍ଟଶାଣୀ କହିଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ