ଓଡିଶା

odisha

ETV Bharat / city

ଭୁବନେଶ୍ବର AIIMSରେ ପ୍ରଥମ, ଯୋଡାହେଲା ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ଆଙ୍ଗୁଳି - ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ସଫଳତା

ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ବୁଢା ଆଙ୍ଗୁଳି ପ୍ରତିରୋପଣ (Thumb Transplantation) ସଫଳ ହୋଇଛି । ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ବାମ ହାତର ବୁଢା ଆଙ୍ଗୁଳିକୁ ଯୋଡ଼ିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଦଳ । ଅଧିକ ପଢନ୍ତୁ

ଭୁବନେଶ୍ବର AIIMSରେ ବୁଢ଼ା ଆଙ୍ଗୁଠି ପ୍ରତିରୋପଣ ସଫଳ
ଭୁବନେଶ୍ବର AIIMSରେ ପ୍ରଥମ, ଯୋଡାହେଲା ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ଆଙ୍ଗୁଳି

By

Published : May 2, 2022, 6:51 PM IST

ଭୁବନେଶ୍ବର:ଏମ୍ସ(AIIMS) ଭୁବନେଶ୍ବରରେ ସଫଳ ବୁଢ଼ା ଆଙ୍ଗୁଳି ପ୍ରତିରୋପଣ ହୋଇଛି । ଯୋଡ଼ା ହୋଇଛି ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ବାମ ହାତର ବୁଢ଼ା ଆଙ୍ଗୁଳି । ଡାକ୍ତରୀ ଦଳଙ୍କ ଦ୍ବାରା ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ମିଳିଲା ସଫଳତା । ଛିଡ଼ି ଅଲଗା ହୋଇଯାଇଥିବା ଆଙ୍ଗୁଠି ପୁନଃପ୍ରତିରୋପଣ କ୍ଷେତ୍ରରେ ପ୍ରଥମ ୬ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ଥିବା ବେଳ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

ରୋଗୀ ଜଣକ ୧୦ ଦିନ ମେଡିକାଲରେ ରହିବା ପରେ ଘରକୁ ଫେରିଛନ୍ତି । ପୁନଃଯୋଡ଼ା ଯାଇଥିବା ବାମ ବୁଢ଼ା ଆଙ୍ଗୁଠିରେ ସ୍ବାଭାବିକ ରକ୍ତ ସଞ୍ଚାଳନ ହୋଇଛି । ଯାହାକି ଯୋଡ଼ିବା ପ୍ରକ୍ରିୟା ସଫଳ ହୋଇଥିବା ପ୍ରକାଶ କରିଛନ୍ତି ଡ. ଗିରି । ପ୍ରଥମ ଥର ପାଇଁ ଏମ୍ସ ଭୁବନେଶ୍ବରରେ ଏପରି ସଫଳ ଆଙ୍ଗୁଠି ପୁନଃପ୍ରତିରୋପଣ ହୋଇଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ରବୀନ୍ଦ୍ର ମୁଦୁଲି (୫୪) ନାମକ ଜଣେ ବ୍ୟକ୍ତି ଗତ ମାସ ୨୦ ତାରିଖରେ ରାତି ପ୍ରାୟ ୨ ଟା ସମୟରେ ଏମ୍ସ ଭୁବନେଶ୍ବର ଜରୁରୀ ବିଭାଗକୁ ଆସିଥିଲେ। ଉକ୍ତ ବ୍ୟକ୍ତିଙ୍କ ବାମ ହାତର ବୁଢ଼ା ଆଙ୍ଗୁଠି ଉକ୍ତ ରାତି ପ୍ରାୟ ୯ଟା ସମୟରେ କଟର ମେସିନ୍‌ରେ କଟି ସମ୍ପୂର୍ଣ୍ଣ ଛିଡ଼ିଯାଇଥିଲା ।

ପ୍ରାୟ ୫ ଘଣ୍ଟା ବିଳମ୍ବରେ ଆସି ଏମ୍ସରେ ପହଞ୍ଚିଥିବା ଆହତ ଜଣକ ଛିଡ଼ି ଯାଇଥିବା ଆଙ୍ଗୁଠିକୁ ବରଫ ସହାୟତାରେ ସଂରକ୍ଷିତ କରି ଆଣିଥିଲେ । ଆହତଙ୍କ ଚିକିତ୍ସା ଆରମ୍ଭ ହେବା ସହିତ ପରଦିନ ସକାଳ ୯ଟାରେ ଅସ୍ତ୍ରୋପଚାର ପାଇଁ ସ୍ଥିର ହୋଇଥିଲା । ଛିଡ଼ି ଯାଇଥିବା ଉକ୍ତ ବାମ ବୁଢ଼ା ଆଙ୍ଗୁଠିକୁ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ରଖାଯାଇଥିଲା । ବର୍ଣ୍ଣ‌୍‌ସ ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଡ. ସଞ୍ଜୟ ଗିରି, ଡ.ଶାନ୍ତନୁ ସୁବାଙ୍କ ନେତୃତ୍ବରେ ହୋଇଥିବା ଏହି ଅପରେସନ୍‌ରେ ଡ. କୌଶିକ, ଡ. ଆହାନା ଏବଂ ଡ. ଗୋପିକା ସହଯୋଗ କରିଥିଲେ । ଡ. ନୀତାଶା ଏବଂ ଡ. ପ୍ରେଗମାଂସୁଙ୍କୁ ନେଇ ଗଠିତ ନିଶ୍ଚେତକ ଦଳ ଏଥିରେ ସାମିଲ ଥିଲେ ।

ଅସ୍ତ୍ରୋପଚାର ଆରମ୍ଭ କରିବା ସହିତ ପ୍ରଥମେ ମାଇକ୍ରୋସ୍କୋପ୍ ସହାୟତାରେ ଛିଡ଼ି ଅଲଗା ହୋଇଯାଇଥିବା ଧମନୀ, ଶିରାପ୍ରଶିରା ଏବଂ ସ୍ନାୟୁକୁ ଯତ୍ନର ସହିତ ଯୋଡ଼ା ଯାଇ ସମସ୍ତ ପ୍ରକ୍ରିୟା ସମ୍ପାଦିତ କରାଯାଇଥିଲା । ଏହା ପ୍ରାୟ ୧୦ ଘଣ୍ଟା ସମୟ ନେଇଥିଲା । ଅସ୍ତ୍ରୋପଚାର ପରେ ଯୋଡ଼ା ଯାଇଥିବା ବାମ ହାତର ବୁଢ଼ା ଆଙ୍ଗୁଠିରେ ରକ୍ତ ସଞ୍ଚାଳନ ଆରମ୍ଭ ହୋଇଛି । ଯାହାକି ପ୍ରତିରୋପଣ ପ୍ରକ୍ରିୟା ସଫଳ ହୋଇଥିବା ଦର୍ଶାଉଛି । ଧୀରେ ଧୀରେ ଫିଜିଓଥେରାପି ଏବଂ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହାୟତାରେ ପ୍ରାୟ ୩-୪ ମାସ ମଧ୍ୟରେ ଏହି ଆଙ୍ଗୁଠି ସ୍ବାଭାବିକ କାମ କରିବା ଆରମ୍ଭ କରିବ ବୋଲି ଡ. ଗିରି ପ୍ରକାଶ କରିଛନ୍ତି ।

ଡକ୍ଟର ଗିରିଙ୍କ କହିବା ଅନୁଯାୟୀ ଏପରି ଜଟିଳ ପରିସ୍ଥିତିରେ ପ୍ରଥମ ୬ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯେତେବେଳେ ଏପରି ଘଟଣା ଘଟେ ସେତେବେଳେ କଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଅଂଶକୁ ଏକ ଗଜ୍ କନା କିମ୍ବା କପଡାରେ ଗୁଡ଼ାଇବା ସହିତ ଏକ ପଲିଥିନରେ ରଖିବା ଉଚିତ । ସଙ୍ଗେସଙ୍ଗେ ଉକ୍ତ ପଲିଥିନକୁ ଏକ ବରଫ ଚାମ୍ବରରେ ସଠିକ ଭାବରେ ସଂରକ୍ଷିତ କରି ରଖିବା ଉଚିତ । ଅଲଗା ହୋଇଯାଇଥିବା ଅଙ୍ଗକୁ ସିଧାସଳଖ ବରଫରେ ରଖାଯିବା ଉଚିତ ନୁହେଁ । ଏହାପରେ ତୁରନ୍ତ ରୋଗୀଙ୍କୁ ହସ୍ପିଟାଲ ଆଣିବା ଆବଶ୍ୟକ ବୋଲି ଡ. ଗିରି ମତ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details