ଭୁବନେଶ୍ବର: ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ରାଜ୍ୟର ୩ଟି ବିଭାଗରେ ୩ଟି ପୌରପାଳିକାକୁ ସର୍ବୋତ୍ତମ ଘୋଷଣା କରିଛନ୍ତି ନୀତି ଆୟୋଗ । ଏହାକୁ ନେଇ ଡିସେମ୍ବର ୬ ତାରିଖରେ ପ୍ରେସ ରିଲିଜ୍ ଜାରି କରିଛନ୍ତି । ଏହାକୁ ନେଇ ନୀତି ଆୟୋଗ ପକ୍ଷରୁ ଏକ ଡକ୍ୟୁମେଣ୍ଟସନ କରାଯାଇଥିଲା । ଏଥିରେ ୧୫ଟି ରାଜ୍ୟର ୨୮ଟି ସିଟି ସାମିଲ ଥିଲେ ।
ଏହି କ୍ରମରେ ଢେଙ୍କାନାଳ, କେନ୍ଦୁଝର ଓ ପାରାଦ୍ବୀପ ପୌରପାଳିକାକୁ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ସାମଗ୍ରୀକ ପ୍ରକ୍ରିୟାକରଣ, ବୈଷୟିକ ଉଦ୍ଭାବନ ଏବଂ ଅଭିନବ ମଡେଲରେ(Material Processing, Technological Innovation and Innovative Models) ସର୍ବୋତ୍ତମ ଘୋଷଣା କରାଯାଇଛି । ଢେଙ୍କାନାଳ ପୌରପାଳିକା ଶତ ପ୍ରତିଶତ ବର୍ଜ୍ୟବସ୍ତୁର ସାମଗ୍ରୀକ ପ୍ରକ୍ରିୟାକରଣ କରିଛି । ଏଥିପାଇଁ ସ୍ଥାନୀୟ ଲୋକ ଓ ସ୍ବୟଂ ସହାୟକ ଗୋଷ୍ଠୀର ବିପୁଳ ସହାୟତା ରହିଥିଲା ।
ପ୍ରଥମ ପୌରପାଳିକା ଭାବରେ ବର୍ଜ୍ୟବସ୍ତୁର ପୁନଃଉଦ୍ଧାର ତଥା ପରିଚାଳନା କରିଥିଲା ଢେଙ୍କାନାଳ । ସମସ୍ତ ପୌରପାଳିକା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ଏକ ବିକେନ୍ଦ୍ରୀକରମ ପ୍ରକ୍ରିୟା କରିଛନ୍ତି ରାଜ୍ୟ ସରକାର । ଏହାକୁ ପ୍ରତି ପୌରପାଳିକା ପାଇଁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ SOP ମଧ୍ୟ ଜାରି ହୋଇଥିଲା ।