ଭୁବନେଶ୍ବର: କଂଗ୍ରେସକୁ ଛାଡିବନି ପୁରୁଣା ରୋଗ ! ସଭାପତି ଶରତ ପଟ୍ଟନାୟକଙ୍କ ଦାୟିତ୍ୱ ଦିନରୁ ଅସହଯୋଗ ଆରମ୍ଭ ।ରାହୁଲ ଗାନ୍ଧୀଙ୍କୁ ଭେଟି ଦିଲ୍ଲୀରୁ ଫେରିଲା ପରେ ନବନିଯୁକ୍ତ ପିସିସି ସଭାପତି ଶରତଙ୍କୁ ଦଳୀୟ ନେତା କର୍ମୀ ଜୋରଦାର ସ୍ୱାଗତ କଲେ । ବିମାନ ବନ୍ଦରରୁ ଏକ ବିଶାଳ ପାଟ ପଟୁଆରରେ ବାହାରି କଂଗ୍ରେସ ଭବନ ଅଭିମୁଖେ ଯାଇଥିଲେ ଶରତ । ହେଲେ ଆଜି ମଧ୍ୟ ଦେଖିବାକୁ ମିଳିନଥିଲା କିଛି ବିଧାୟକଙ୍କୁ।
କଂଗ୍ରେସର ମୋଟ 9 ଜଣ ବିଧାୟକ ଅଛନ୍ତି ସେମାନଙ୍କ ମଧ୍ୟରୁ କଟକ ବିଧାୟକ ମହମ୍ମଦ ମୋକିମ , ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏବଂ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ସମ୍ବର୍ଦ୍ଧନା ସଭାରେ ଅନୁପସ୍ଥିତ ଥିଲେ । କଂଗ୍ରେସର ଆଭ୍ୟନ୍ତରୀଣ ଅନ୍ତଃକନ୍ଦଳ ପ୍ରଶମିତ ହୋଇନଥିବା ଚର୍ଚ୍ଚା ହେଉଛି । ଯଦିଓ ଭୁବନେଶ୍ୱରରେ ଜୁନ ପହିଲା ରେ ସଂକଳ୍ପ ସମାବେଶକୁ ନରସିଂହ ମିଶ୍ର ଯାଇଥିଲେ ହେଲେ ସେଦିନ ଅନ୍ୟ ଦୁଇ ଜଣ ବିଧାୟକ ଅନୁପସ୍ଥିତ ଥିଲେ । ସମାନ ଭାବେ ଆଜିର ସମ୍ବର୍ଦ୍ଧନା ସଭାରେ ଦେଖିବାକୁ ମିଳିନଥିଲା ମୋକିମ ଓ ରମେଶଙ୍କୁ।