ଭୁବନେଶ୍ବର:ସେମାନଙ୍କ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । କାରଣ ତାଙ୍କର ମନୋବଳ ହେଉଛି ଦୃଢ । ଇଚ୍ଛାଶକ୍ତି ତାଙ୍କୁ କିଛି କରିବାର ଶକ୍ତି ଦେଇଛି । କରିଛି ଆତ୍ମନିର୍ଭର । ଆମେ କହୁଛୁ ତିନି ଦିବ୍ୟାଙ୍ଗ ବନ୍ଧୁଙ୍କ କଥା ଯିଏକି ଦିବ୍ୟାଙ୍ଗ ସତ କିନ୍ତୁ ନିଜ ପ୍ରଚେଷ୍ଟାରେ କିଛି କରିପାରି ବେଶ ଦୁଇ ପାଇସା ରୋଜଗାର କରିପାରିବାରେ ସକ୍ଷମ ହୋଇଛନ୍ତି ।
ପରିବାର ଉପରେ ବୋଝ ନହୋଇ ଘରୁ ଗୋଡ କାଢିଥିଲେ ମାଳତି, ସୁଭଦ୍ରା ଓ ସଞ୍ଜିତା । ତିନିଜଣ ଅଲଗା ଅଲଗା ଜିଲ୍ଲାର ହେଲେ ରାଜଧାନୀରେ ତିନିଜଣଙ୍କ ଭିତରେ ଗଢି ଉଠିଥିଲା ନିବିଡ ବନ୍ଧୁତ୍ବ । ତିିନି ଆଖିରେ ଦେଖିଥିଲେ କିଛି କରିବାର ସ୍ବପ୍ନ । ସ୍ବପ୍ନକୁ ପୂରଣ କରିବାକୁ ପ୍ରଥମେ ଭୁବନେଶ୍ବରରେ ଏକ ତାଲିମ କେନ୍ଦ୍ରରେ ନେଇଥିଲେ ତାଲିମ । ଏହା ପରେ ଆଉ ପଛକୁ ଫେରି ନଥିଲେ ତିନି ବନ୍ଧୁ । ପ୍ରଥମେ ନିଜ ଉଦ୍ୟମରେ ଏକ ପେପର ପ୍ଲେଟ ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ଏ ମହାମାରୀ କୋରୋନା ତାଙ୍କ ଜୀବିକାକୁ ଛଡାଇ ନେଇଥିଲା । କୋରାେନାରେ ପେପର ପ୍ଲେଟ ବ୍ୟବସାୟ ଠପ ହୋଇଯାଇଥିଲା । ହେଲେ ସେ ହାରି ନଥିଲେ । ପୁଣି ନ ଅଣ୍ଟା ସଳଖି ଥିଲେ ତିନି ସାଙ୍ଗ । ଏହା ପରେ ତାଙ୍କୁ ରାହା ଦେଇଥିଲା ଅରଗାନିକ୍ ଚା’ । ଖାଲି ଚା’ ନୁହେଁ ଖରାଦିନେ ଲୋକଙ୍କୁ ଶୋଷ ମେଣ୍ଟାଇବାକୁ ଲେମ୍ବୁ ସରବତ ତା ସହିତ ଝାଲ ମୁଢୀ । ସନ୍ଧ୍ୟା ହେଲେ ରାଜଧାନୀର ମଧୂସୁଦନ ପାର୍କରେ ଖୋଲିଯାଏ ଆସର । ତାଙ୍କ ହାତ ତିଆରି ଚା’ ପିଇବାକୁ ଷ୍ଟଲ ଆଗରେ ଲାଗେ ଗ୍ରାହକଙ୍କ ଲମ୍ବା ଲାଇନ । ଖାଇବା ଷ୍ଟଲ ସହିତ ଗୋଟିଏ ଅଟାକଳ ମେସିନ ବି ପକାଇଛନ୍ତି ତିନି ସାଙ୍ଗ ।