ଭୁବନେଶ୍ବର:ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଭିକ୍ଷୁକଙ୍କ ପାଇଁ ଖୋଲିବ 3 ଟି ଆଶ୍ରୟ କେନ୍ଦ୍ର । ଭୁବନେଶ୍ବରର ଉତ୍ତର, ମଧ୍ୟ ଓ ଏକାମ୍ର ଅଞ୍ଚଳରେ ଏହି ଆଶ୍ରୟ କେନ୍ଦ୍ର କରାଯିବ ।
ସବୁ ଆଶ୍ରୟ କେନ୍ଦ୍ରରେ ଏକ ଶହ ଶଯ୍ୟା ବିଶିଷ୍ଟ ହେବ । ମହିଳା ଓ ଶିଶୁଙ୍କ ପାଇଁ ଗୋଟେ, ବୟସ୍କଙ୍କ ପାଇଁ ଗୋଟେ ଓ ଭିନ୍ନକ୍ଷମ ଭିକ୍ଷୁକଙ୍କ ଲାଗି ଗୋଟେ କେନ୍ଦ୍ର ରହିବ । ଏହାର ସମସ୍ତ ଅର୍ଥ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବହନ କରିବ ।
ଭିକ୍ଷୁକଙ୍କ ପାଇଁ ଭୁବନେଶ୍ୱରରେ ହେବ 3 ଆଶ୍ରୟ କେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଭିକ୍ଷୁକଙ୍କୁ ଏହି ଆଶ୍ରୟ କେନ୍ଦ୍ରକୁ ଥଇଥାନ କରାଯିବ । ରାଜ୍ୟରେ ଭିକ୍ଷାବୃତ୍ତି କରୁଥିବା 8, 338 ଲୋକ ପଞ୍ଜିକୃତ ହୋଇଛନ୍ତି । ସେଥିମଧ୍ୟରୁ 1 ହଜାର 72 ରୁ ଅଧିକ ଭିକ୍ଷାବୃତ୍ତିକରୁଥିବା ଲୋକ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।
ତେବେ ଖାଲି ଭିକ୍ଷୁକଙ୍କ ପାଇଁ ଆଶ୍ରୟ କେନ୍ଦ୍ର ନୁହଁ ବରଂ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କିନ୍ନରଙ୍କ ପାଇଁ 100 ଶଯ୍ୟା ବିଶିଷ୍ଟ ଆଶ୍ରୟ କେନ୍ଦ୍ର ଖୋଲାଯିବ । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ