ଭୁବନେଶ୍ବର:ଲଘୁଚାପ ଭରିଲା ନିଅଣ୍ଟିଆ ବର୍ଷା । ବଙ୍ଗୋପସାଗରରେ ଗତ ଶନିବାର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହୋଇଥିଲା । ଏବେ ଧୀରେଧୀରେ ଦୁର୍ବଳ ହୋଇ ଲଘୁଚାପ ମଧ୍ୟପ୍ରଦେଶ ମୁହାଁ ହୋଇଛି । ୪୮ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହେବ ଲଘୁଚାପ ।
ତେବେ ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଓଡିଶା ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ରାଜ୍ୟରେ ଆସନ୍ତା ୩ ଦିନ ତଥା ୧୭ ତାରିଖ ଯାଏଁ କୌଣସି ଭାରି ବର୍ଷାର ସମ୍ଭାବନା ନାହିଁ । ଏହାସହ ଆସନ୍ତା ୧୮ ତାରିଖରୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ପାଗରେ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାରେ ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିଭଳି ମାଲକାନଗିରି ଓ କୋରାପୁଟରେ ବର୍ଷା ସମ୍ଭାବନା ରହିଛି ।