ଭୁବନେଶ୍ବର: କୋଭିଡ ମହାମାରୀ ଜନିତ ଭୟାବହ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଭିନବ ପ୍ରୟାସ ‘ଇନ୍ଦ୍ରଧନୁ- ଆଶାର କିରଣ’ ଶୀର୍ଷକ ଧାରାବାହିକ ଆଲୋଚନା ଚକ୍ର ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଛି। ସମଗ୍ର ବିଶ୍ବରେ ଏହି ମହାମରିର ଭୟାବହ ରୂପ ପରିଲକ୍ଷିତ ହେଉଥିବା ବେଳେ ସଂଗ୍ରହାଳୟଗୁଡିକ ମଧ୍ୟ ଏଥିରୁ ବାଦ୍ ପଡି ନାହାଁନ୍ତି। ବିଶ୍ବର ଅନ୍ୟାନ୍ୟ ସମସ୍ତ କ୍ଷେତ୍ର ସହିତ ସଂଗ୍ରହାଳୟ ମଧ୍ୟ ବିଶେଷ ପ୍ରଭାବିତ ହୋଇଛି। କୋଭିଡ ମହାମାରୀ ପାଇଁ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସଂଗ୍ରହାଳୟଗୁଡିକ ବନ୍ଦ ରହିଛି। ସମ୍ପ୍ରତି ଏହି ଆତଙ୍କିତ ପରିବେଶରେ ବିଶ୍ବର ସମସ୍ତ ସଂଗ୍ରହାଳୟ ନିଜ ଅସ୍ତିତ୍ବର ଉପଲବ୍ଧି ସହିତ ସଂଗ୍ରହାଳୟରେ କାର୍ଯ୍ୟରତ କର୍ମକର୍ତ୍ତାମାନଙ୍କ ସୁରକ୍ଷା ଓ ନିୟୋଜନ ନିମନ୍ତେ ଅନେକ ଭର୍ଚୁଆଲ ପଦକ୍ଷେପ ଗ୍ରହଣ କରିଛନ୍ତି। ଡିଜିଟାଲ ମାଧ୍ୟମରେ ଦର୍ଶକ, ଗବେଷକ ଏବଂ ସାଧାରଣ ପରିବ୍ରାଜକଙ୍କ ପାଇଁ ସଂଗ୍ରହାଳୟ ପରିଦର୍ଶନ ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ରୂପାୟନ କରାଯାଇଛି। ଏହି କ୍ରମରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଗତକାଲି(ତା ୨୩-୬-୨୦୨୧ ରିଖରେ) ଏକ ଆନ୍ତର୍ଜାତୀୟ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା।
ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହାର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ, ରାଜ୍ୟ ସଂଗ୍ରହାଳୟ ଓଡ଼ିଆ ପରମ୍ପରା, ଇତିହାସ, ଓ ବୀରତ୍ବର ପ୍ରତୀକକୁ ସଂରକ୍ଷିତ ଓ ପ୍ରଦର୍ଶିତ କରୁଛି। ଓଡ଼ିଆ ଜାତିର ଉଜ୍ବଳମୟ ପରମ୍ପରା ଓ ଇତିହାସର ପ୍ରତୀକକୁ ବିଶ୍ୱବ୍ୟାପୀ ପ୍ରସାର ଦିଗରେ ଯତ୍ନଶୀଳ ଉଦ୍ୟମ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ସରକାର ଏଥି ପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଡ. ବିଷ୍ଣୁପଦ ସେଠି ତାଙ୍କର ବକ୍ତବ୍ୟରେ ରାଜ୍ୟ ସଂଗ୍ରହଳୟକୁ ବିଶ୍ୱସ୍ତରୀୟ କରି ଗଢ଼ି ତୋଳିବାକୁ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ପରାମର୍ଶରେ ସମଗ୍ର ସଂଗ୍ରହଳୟକୁ ଭର୍ଚୁଆଲ ମୋଡରେ ଆଣିବା ବ୍ୟବସ୍ଥା କରାଯାଉଛି ଓ ଏଥିଲାଗି ବିଭାଗୀୟ ଅଧିକାରୀଙ୍କ ଉଦ୍ୟମକୁ ସଂସ୍କୃତି ସଚିବ ପ୍ରଶଂସା କରିଥିଲେ। ଏହି କ୍ରମରେ 20 ଲକ୍ଷ ପୃଷ୍ଠା ଅନଲାଇନରେ ଉପଲବ୍ଧ ହେଉଛି ବୋଲି ସଂସ୍କୃତି ସଚିବ ଏହି ଅବସରରେ ସୂଚନା ଦେଇଥିଲେ।