ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ମନରେଗା (ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି) ଯୋଜନାରେ ୨୦କୋଟି କାର୍ଯ୍ୟଦିବସ ଯୋଗାଇ ଦେବାପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨କୋଟି ୩୯ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି ହୋଇଥିବା ଜଣାଯାଇଛି । ମନରେଗାର ଅଗ୍ରଗତି ସମ୍ପର୍କରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କରିଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି । କୋରୋନା ସମୟରେ ଦୈନିକ ୨୦ଲକ୍ଷ ଶ୍ରମିକଙ୍କୁ ନିୟୋଜିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ଏହା ଯେଭଳି ଠିକଣା ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ମନ୍ତ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଲକ୍ଷ୍ୟର ୮୧ ପ୍ରତିଶତ ଅର୍ଥାତ ଦୈନିକ ୧୬ଲକ୍ଷ ୧୪ହଜାର ଶ୍ରମିକ ଏହି ଯୋଜନାରେ କାର୍ଯ୍ୟ କରିଥିବା ଜଣାଯାଇଛି ।
ରାଜ୍ୟର ଚାରି ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର, ବରଗଡ ଓ ନୂଆପଡାର ୨୦ଟି ବ୍ଲକ ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଏହିସବୁ ଜିଲ୍ଲାରେ ଶ୍ରମିକମାନଙ୍କୁ ଅତରିକ୍ତ ଭାବେ ୯୧ଟଙ୍କା ଅଧିକ ମଜୁରୀ ପ୍ରଦାନ କରାଯାଉଛି । ଫଳରେ ଦୈନିକ ମୂଳ ମଜୁରୀ ୨୦୭ ଟଙ୍କା ସହିତ ୯୧ ଟଙ୍କା ମିଶାଇ ସେମାନେ ୨୯୮ଟଙ୍କା କରି ପାଉଛନ୍ତି । ଏହି ଚାରିଟି ଜିଲ୍ଲାରେ ଚଳିତମାସ ୪ ତାରିଖ ସୁଦ୍ଧା ଏକ ଲକ୍ଷ ୭୮ହଜାର ଶ୍ରମିକ ନିୟୋଜିତ ହୋଇଥିବାବେଳେ ୨୧ଲକ୍ଷ ୯୪ହଜାର କାର୍ଯ୍ୟଦିବସ ସୃଷ୍ଟି ହୋଇପାରିଛି । ମନରେଗା ଯୋଜନାରେ ରାଜ୍ୟରେ ଏକ ଲକ୍ଷ ପୋଖରୀ ଖୋଳିବାପାଇଁ ଲକ୍ଷ୍ୟ ରଖାଯାଇଛି । ଏଥି ସହିତ ଉଦ୍ୟାନ ବିଭାଗ ମାଧ୍ୟମରେ ୨୩,୧୩୪ ହେକ୍ଟର ଜମିରେ ବୃକ୍ଷରୋପଣ, ୮୦୦୦ ବିଦ୍ୟାଳୟରେ ବୃକ୍ଷରୋପଣ, ୧.୭୫ କୂପ ଖନନ ସହିତ ୨୦୪୯ଟି ଅଙ୍ଗନବାଡି କୋଠା ନିର୍ମାଣ କରାଯିବ । ଏହିସବୁ କାର୍ଯ୍ୟ ଲାଗି ଜଙ୍ଗଲ ଓ ପରିବେଶ ବିଭାଗକୁ ମନରେଗାର ୬୮୯କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟକୁ ୧୧୩୯କୋଟି, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗକୁ ୧୪୬କୋଟି ୨୬ଲକ୍ଷ, ଜଳସମ୍ପଦ ବିଭାଗକୁ ୧୦୨କୋଟି ୯୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହାସହ ରେଶମ ଚାଷ ପାଇଁ ୨୬କୋଟି ୯୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।