ଭୁବନେଶ୍ବର: ତୃତୀୟ ଲହର ପାଇଁ ଓଡିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ କରି ସାରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଏକ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଗତ 17 ତାରିଖରେ ସମସ୍ତ ଜିଲ୍ଲାପାଳ ଏବଂ ମେଡିକାଲ କଲେଜ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ତୃତୀୟ ଲହରରେ ଶିଶୁ ମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଡିଏମଇଟିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ।
ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଶିଶୁଙ୍କ ପାଇଁ 1610 ଜେନେରାଲ ବେଡ଼, 610 ଆଇସିୟୁ ଏବଂ ଶିଶୁ ଭବନରେ ସ୍ୱତନ୍ତ୍ର କୋଭିଡ ବ୍ଲଗ ଖୋଲାଯାଇଛି । ଶିଶୁ ମାନଙ୍କ କ୍ଷେତ୍ରରେ ଅଧିକ ସଂକ୍ରମଣ ବଢିଲେ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି ସିଏଚସିରେ ଅତି କମରେ 2ରୁ 4ଟି ଶିଶୁ ମାନଙ୍କ ପାଇଁ ବେଡ଼ ବ୍ୟବସ୍ଥା କରାଯାଇଛି । ଏହା ସହ ସମସ୍ତ 7ଟି ମେଡିକାଲ କଲେଜରେ 64ଟି ଏନଆଇସିୟୁ ଏବଂ 155 ଆଇସୋଲେସନ ବେଡ଼ ପ୍ରସ୍ତୁତ କରାଯାଇଛି । ସବୁ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଶିଶୁ ମାନଙ୍କ ପାଇଁ ଆଇସିୟୁର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଷ୍ଟାଫ ନର୍ସ ଏବଂ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରାଯାଇଛି ।