ଓଡିଶା

odisha

ETV Bharat / city

ମହାମାରୀ ସମୟରେ 20ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର - ରାଜ୍ୟ କ୍ୟାବିନେଟ

ରାଜ୍ୟ କ୍ୟାବିନେଟରେ 20ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। 70 ଲକ୍ଷ ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ ସ୍ବାସ୍ଥ୍ୟ ସେବା ମିଳିବ । ମହିଳାଙ୍କ କ୍ଷେତ୍ରରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ସେବା ମିଳିବ ।

20ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ
20ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ

By

Published : Aug 12, 2020, 10:19 PM IST

Updated : Aug 12, 2020, 10:26 PM IST

ଭୁବନେଶ୍ବର:ରାଜ୍ୟ କ୍ୟାବିନେଟରେ 20ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ମହାମାରୀ ଆଇନରେ ରାଜ୍ୟ ସରକାର କରିଛନ୍ତି ସଂଶୋଧନ । ସାମାଜିକ ଦୂରତା ଉଲ୍ଲଙ୍ଘନ ପାଇଁ କେତେକ କ୍ଷେତ୍ରରେ 10 ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଥିଲା । ଏବେ ଆଇନର ସଂଶୋଧନ ପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ ଆଦାୟ ହୋଇପାରିବ ।

20ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ

ବିଜେପୁର ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ମଞ୍ଜୁରୀ ପାଇଛି । ପ୍ରକଳ୍ପ ପାଇଁ 11 ଶହ 38କୋଟି ଟଙ୍କାର ମଞ୍ଜୁରୀ କରାଯାଇଛି। ଏହି ପ୍ରକଳ୍ପ ହେଲେ ମରୁଡି ପ୍ରପୀଡିତ ବିଜେପୁର, ସୋହେଲା ସମେତ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଓ ଡୁଙ୍ଗୁରିପାଲି ବ୍ଲକର 25 ହଜାର 6 ଶହ ହେକ୍ଟର ଜମି ଜଳସେଚିତ ହୋଇପାରିବ । 30 ମାସ ଭିତରେ ଏହି ପ୍ରକଳ୍ପକୁ ଶେଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ।

ସେହିପରି ଓଡିଶା ହେଲଥ ଆସ୍ୟୁରାନ୍ସ ସୋସାଇଟିକୁ ମଞ୍ଜୁରୀ ମିଳିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିର ହିତାଧୀକାରୀମାନେ ସାମିଲ ହୋଇଛନ୍ତି । ଏହାଦ୍ବାରା 70 ଲକ୍ଷ ପରିବାର ଉପକୃତ ହେବେ । ଏଥିରେ ସମସ୍ତଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ ସ୍ବାସ୍ଥ୍ୟ ସେବା ମିଳିବ । ମହିଳାଙ୍କ କ୍ଷେତ୍ରରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ସେବା ମିଳିବ ।

ପାନୀୟ ଜଳ ଯୋଜନାରେ ଗତ 3 ବର୍ଷରେ ରାଜ୍ୟ ସରକାର 24 ହଜାର 100 କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ବାରା ପ୍ରତିଷ୍ଠା ହେବ 6800 କ୍ଷୁଦ୍ର ଓ 66 ଟି ବୃହତ ପ୍ରକଳ୍ପ । ଉପକୃତ ହେବେ ରାଜ୍ୟର 48 ପ୍ରତିଶତ ଜନସଂଖ୍ୟା । ଆଜି 4ଟି ନୂଆ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜରୀ ଦେଇଛି । ଏହି 4ଟି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 827 କୋଟି ଟଙ୍କା । କୋରାପୁଟ, ମାଲକାନିଗିରି, ମୟୂରଭଞ୍ଜ, ଗଜପତି, କଟକ ଓ ବାଲେଶ୍ବରର 911ଟି ଗାଁର 6 ଲକ୍ଷ 7 ହଜାର ଅତିରିକ୍ତ ଜନସଂଖ୍ୟା ଏହି ପାନୀୟଜଳ ପ୍ରକଳ୍ପରୁ ଉପକୃତ ହେବେ ।

। ଶିଳ୍ପାୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଶିଳ୍ପ ଆଇନକୁ ସଂଶୋଧନ କରାଯାଇଛି । ଶିଳ୍ପାନୁଷ୍ଠାନ ପାଇଁ ଆଇପିଆର ଇନସେନଟିଭକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏହାଦ୍ବାରା ପ୍ରାୟ 300 ଶିଳ୍ପାନୁଷ୍ଠାନ ଏବଂ ପ୍ରାୟ 50 ହଜାର ଶ୍ରମିକ ଉପକୃତ ହେବେ । ସେହିଭଳି ଫ୍ୟାକ୍ଟ୍ରି ଆଇନରେ ମଧ୍ୟ ସଂଶୋଧନ କରାଯାଇ ଥ୍ରେସ ହୋଲ୍ଡ ଲିମିଟକୁ ଦୁଇଗୁଣା କରାଯାଇଛି । ଶିଳ୍ପାନୁଷ୍ଠାନରେ ଓଭର ଟାଇମ ସୀମା 75 ଘଣ୍ଟାରୁ 115 ଘଣ୍ଟାକୁ ବୃଦ୍ଧି କରାଯାଇଛି । ମହିଳା କର୍ମଚାରୀମାନେ ମଧ୍ୟ କରିପାରିବେ ନାଇଟ ସିଫ୍ଟ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ମହିଳା କର୍ମଚାରୀଙ୍କ ରାତି ଡ୍ୟୁଟି ପାଇଁ ସର୍ତ୍ତମୂଳକ ଅନୁମତି ମିଳିବ । ସେପଟେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ମିଳିବ ଜମି । ପୁରୀ ମଙ୍ଗଳା ଘାଟରେ 6.661 ଏକର ଜମି ମାଗଣାରେ ଦିଆଯିବ ।

ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିର ଦୃଢୀକରଣ ପାଇଁ ନିର୍ମଳ ଯୋଜନାକୁ ସଂଶୋଧନ କରାଯାଇଛି । ଆଜି ଏହି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ନିର୍ମଳ ଯୋଜନାର ସଫଳତାକୁ ଦେଖି 'ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ' ଯୋଜନା ଆରମ୍ଭ ହୋଇଛି । ଏଥିରେ ପାଞ୍ଚ ବର୍ଷରେ 1998 କୋଟି 15 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ନିର୍ମଳ ଯୋଜନାରେ ରାଜ୍ୟର ମୋଟ 1812ଟି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସାମିଲ ହୋଇଥିଲା । ନିର୍ମଳ ପ୍ଲସ ଯୋଜନାରେ 4ଟି ନୂଆ ମେଡିକାଲ କଲେଜ, 9ଟି ଆୟୁଷ କଲେଜ ଏବଂ 32ଟି ନର୍ସିଂ କଲେଜ ଏହିଭଳି ମୋଟ 45ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ସାମିଲ କରାଯାଇଛି । 'ନିର୍ମଳ ପ୍ଲସ ପ୍ଲସ' ଯୋଜନାରେ ତିନୋଟି ମେଡିକାଲ କଲେଜ ସହ କ୍ୟାପିଟାଲ ହସ୍ପିଟାଲ, ଓ ଅନ୍ୟ ତିନୋଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ସାମିଲ କରାଯାଇଛି ।

ପୌର ପରିଷଦର ବାର୍ଷିକ ବଜେଟର 25 ପ୍ରତିଶତ ବସ୍ତିର ବିକାଶ ପାଇଁ ସଂରକ୍ଷିତ ରଖିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ପୂର୍ବରୁ ଟ୍ରେଡ଼ ଲାଇସେନ୍ସ ପାଇଁ ସମୟ ଲାଗୁଥିଲା । ଏଣିକି ଆବେଦନ ଦିନ ହିଁ ବ୍ୟବସାୟ ପାଇଁ ପ୍ରୋଭିଜନାଲ ଲାଇସେନ୍ସ ପ୍ରଦାନ କରାଯିବ । ପୁରୀ ଐତିହ୍ୟ କ୍ଷେତ୍ର ପାଇଁ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପଟୁ 75 ମିଟର ପରିଧି ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇଛି । ଉଚ୍ଛେଦ ହୋଇଥିବା ଲୋକଙ୍କୁ ମଙ୍ଗଳାଘାଟରେ ପୁର୍ନବାସ କଲୋନୀ ନିର୍ମାଣ କରାଯାଉଛି । ଏଥିପାଇଁ ରାଜ୍ୟ ସରକାର ଜମି ମାଗଣାରେ ପ୍ରଦାନ କରିଛନ୍ତି । ଏହି ଜମି ଉପରେ ଷ୍ଟାମ୍ପ ଡ୍ୟୁଟିକୁ ମଧ୍ୟ ହଟାଇ ଦିଆଯାଇଛି ।

2019-20 ଆର୍ଥିକ ବର୍ଷରେ ଗ୍ରୀଡକୋ କରିଥିବା 1500 କୋଟି ଟଙ୍କା ଋଣ ଉପରେ ସରକାରୀ ଗ୍ୟାରେଣ୍ଟିର ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ କୁମାର ଦାସ, ଇଟିଭି ଭାରତ

Last Updated : Aug 12, 2020, 10:26 PM IST

ABOUT THE AUTHOR

...view details