ଭୁବନେଶ୍ବର:ସ୍ମାର୍ଟସିଟିରେ କମିବ ଅନ୍ତିମ ସଂସ୍କାର ଜନିତ ଚାପ । ଆରମ୍ଭ ହେଲା ଏଲପିଜି ଇନ୍ଧନ ଯୁକ୍ତ ଦାହ ବ୍ୟବସ୍ଥା । ଭୁବନେଶ୍ବରରେ ଦାହ ପ୍ରକ୍ରିୟାରେ ଯୋଡି ହେଲା ଆଉ ଏକ ନୂଆ ଠିକଣା । ଭୁବନେଶ୍ବର ମହାନଗର ନିଗମ ନର୍ଥ ଜୋନ ଅନ୍ତର୍ଗତ ଜଳି ମୁଣ୍ଡା ସାହି (ଖ) ଠାରେ ଶୁକ୍ରବାର ଆରମ୍ଭ ହୋଇଛି ଗ୍ୟାସିୟ ଇନ୍ଧନ ଯୁକ୍ତ ଶ୍ମଶାନରେ ମୃତଦେହ ଦାହ ବ୍ୟବସ୍ଥା।
ପଦ୍ମାଳୟ ଏଣ୍ଟରପ୍ରାଇଜକୁ ଏହାର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ବ ୫ ବର୍ଷ ପାଇଁ ଦିଆଯାଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଦୈନିକ ପରିଚାଳନା ବିଏମସି ଦ୍ବାରା କରାଯାଉଛି। ଏହାର ଦୈନିକ କ୍ଷମତାରେ ୭ ରୁ ୮ ଟି ମୃତଦେହ ଦାହ କରାଯାଇପାରିବ। ଗୋଟିଏ ମୃତଦେହକୁ ଦାହ କରିବାକୁ ୨ ରୁ ୩ ଘଣ୍ଟା ସମୟ ଲାଗିବ। ଗୋଟିଏ ମୃତଦେହକୁ ଦାହ କରିବା ପାଇଁ ୧୨ ରୁ ୧୪ କିଲୋଗ୍ରାମ ଗ୍ୟାସ ଆବଶ୍ୟକ ହେବ। ତେବେ ଏହି ବ୍ୟବସ୍ଥାରେ ଦାହ ପାଇଁ ଖର୍ଚ୍ଚ କମ ହେବ ବୋଲି ଆକଳନ କରିଛି ବିଏମସି। ଏହି ନୂତନ ଗ୍ୟାସ ଚୁଲାର କ୍ଷମତା ୮ ଫୁଟ ୧୨ ଫୁଟ।