ଓଡିଶା

odisha

ETV Bharat / city

କୋଷ୍ଟାଲ ହାଇୱେ ଦ୍ଵନ୍ଦରେ ପଡିବ ପୂର୍ଣ୍ଣଚ୍ଛେଦ: ଆଜି ନକ୍ସାରେ ଲାଗିବ ରାଜ୍ୟ ସରକାରଙ୍କ ମୋହର - The revised Coastal Highway will have the seal of the state government

ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା କୋଷ୍ଟାଲ ହାଇୱେକୁ ନେଇ ଥିବା ଦ୍ଵନ୍ଦ ଦୂର ହୋଇଛି । ଆଜି ରାଜ୍ୟ ସରକାର ଏହି ନକ୍ସାରେ ମୋହର ମାରିବେ । ଅଧିକ ପଢନ୍ତୁ....

କୋଷ୍ଟାଲ ହାଇୱେ ଦ୍ଵନ୍ଦରେ ପଡିବ ପୂର୍ଣ୍ଣଚ୍ଛେଦ: ଆଜି ନକ୍ସାରେ ଲାଗିବ ରାଜ୍ୟ ସରକାରଙ୍କ ମୋହର
କୋଷ୍ଟାଲ ହାଇୱେ ଦ୍ଵନ୍ଦରେ ପଡିବ ପୂର୍ଣ୍ଣଚ୍ଛେଦ: ଆଜି ନକ୍ସାରେ ଲାଗିବ ରାଜ୍ୟ ସରକାରଙ୍କ ମୋହର

By

Published : Jun 22, 2021, 12:27 PM IST

ଭୁବନେଶ୍ବର: ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା କୋଷ୍ଟାଲ ହାଇୱେକୁ ନେଇ ଥିବା ଦ୍ଵନ୍ଦ ଦୂର ହୋଇଛି । କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ ଏ ନେଇ ଦୀର୍ଘ ଦିନ ହେଲା ଲାଗିଥିବା ଆଡୁଆ ତୁଟିବାକୁ ଯାଉଛି । କେନ୍ଦ୍ର-ରାଜ୍ୟ ଉଭୟଙ୍କୁ ସୁହାଇଲା ଭଳି କୋଷ୍ଟାଲ ହାଇୱେର ନକ୍ସା ପ୍ରସ୍ତୁତ ହୋଇଛି । ଆଜି ରାଜ୍ୟ ସରକାର ଏହି ନକ୍ସାରେ ମୋହର ମାରିବେ । ନକ୍ସାକୁ ନେଇ 6 ବର୍ଷ ହେଲା ଅଟକି ରହିଥିବା ବହୁ ପ୍ରତୀକ୍ଷିତ ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା କୋଷ୍ଟାଲ ହାଇୱେ ବିବାଦ ଏକପ୍ରକାର ତୁଟିଛି ।

ଏକ୍ସପର୍ଟ ଆପ୍ରାଇଜାଲ କମିଟି ଏଥିରେ ପରିବେଶ ସମ୍ବନ୍ଧୀୟ ସମସ୍ୟା ହେବ ବୋଲି ଆଶଙ୍କା ଉଠାଇବାରୁ ଏହା ବହୁଦିନ ଅଟକି ରହିଥିଲା । ତାପରେ କେନ୍ଦ୍ର ସରକାରଙ୍କର ଡିଜାଇନରେ ରାଜ୍ୟ ସରକାର ରାଜି ହୋଇ ନଥିଲେ । ଏ ନେଇ ରାଜ୍ୟରେ ତୁମ୍ବିତୋଫାନ ହୋଇଥିଲା । ରାଜନୀତି ବି ତେଜିଥିଲା । ଯୋଜନାକୁ ନେଇ ରାଜନୈତିକ ବୟାନବାଜି ବି ପ୍ରଖର ହୋଇଥିଲା । ତେବେ ପ୍ରାୟ ତିନି ଥର ଡିଜାଇନ ବଦଳିବା ପରେ ଏବେ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ହୋଇଛି ବୋଲି ସୂଚନା ମିଳିଛି ।

ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ବୈଠକରେ ଉନ୍ନୟନ କମିସନର ପ୍ରଦୀପ ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଓଡ଼ିଶା ମୁଖ୍ୟ ଆର୍‌.ପି. ପଣ୍ଡା ପ୍ରମୁଖ ଉପସ୍ଥିତ ରହିବେ । ବୈଠକରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଅନୁଯାୟୀ ପ୍ରସ୍ତୁତ ହୋଇଥିବା ଡିଜାଇନ୍, ଖର୍ଚ୍ଚ ଆକଳନ, ଜମି ଅଧିଗ୍ରହଣ, ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗରେ ଆଲୋଚନା ହେବ ।

କୋଷ୍ଟାଲ ହାଇୱେ ଟାଙ୍ଗୀରୁ ବାହାରି ଦୀଘା ପର୍ଯ୍ୟନ୍ତ ଯିବ ବୋଲି ଜଣାପଡିଛି । ଏହା ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ, ନାଉଗାଁ, ପାରାଦୀପ ବନ୍ଦର,ରତନପୁର, ସାତଭାୟା, ଧାମରା, ବାସୁଦେବପୁର, ତାଳପଦ, ଚାନ୍ଦିପୁର, ଚନ୍ଦନେଶ୍ବର ହୋଇ ଯିବ । ପ୍ରାୟ ୪୦୦ କିଲୋମିଟର ରାସ୍ତା ହେବ । ରାଜ୍ୟର ଓଡ଼ିଶାର 6ଟି ଉପକୂଳବର୍ତ୍ତୀ ଜିଲ୍ଲା ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଦେଇଯିବ । ଏହି ପ୍ରୋଜେକ୍ଟରେ ପ୍ରାୟ 9ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି । ଗୋପାଳପୁରରୁ କୋଷ୍ଟାଲ ହାଇୱେ ବାହାରି ରତନପୁରରେ ସରିବ ବୋଲି ପ୍ରାଥମିକ ଭାବେ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା । ଯାହାକୁ ନେଇ ରାଜ୍ୟ ସରକାର ଆପତ୍ତି ଉଠାଇଥିଲେ । ତେବେ ଆଜି ସଂଶୋଧିତ କୋଷ୍ଟାଲ ହାଇୱେ ନକ୍ସାରେ ରାଜ୍ୟ ସରକାର ମୋହର ମାରିଲେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details