ଭୁବନେଶ୍ବର: ବାତ୍ୟା ୟସ ଦ୍ବାରା ପ୍ରଭାବିତ ହୋଇଥିବା ଜଳଯୋଗାଣ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ ଗ୍ରାମ୍ୟ ଜଳଯୋଗାଣ ଡିଭିଜନ ଅନ୍ତର୍ଗତ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହେଉଛି।
ବାଲେଶ୍ଵର ଗ୍ରାମ୍ୟ ଜଳଯୋଗାଣ ଡିଭିଜନ ଅନ୍ତର୍ଗତ ସମସ୍ତ ୬୬୫ଟି ଜଳଯୋଗାଣ ପ୍ରକଳ୍ପ ବାତ୍ୟାରେ ପ୍ରଭାବିତ ହୋଇଛି । ଜେନେରେଟର ସେଟ୍ ଦ୍ଵାରା ବିଦ୍ୟୁତ ଶକ୍ତି ଯୋଗାଣ ଦିଆଯାଇ ୬୬୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି ।
ଏଥି ନିମନ୍ତେ ୧୪୪ଟି ଜେନେରେଟର ଉପଯୋଗ କରାଯାଇଛି । ଡିଭିଜନ ଅନ୍ତର୍ଗତ ୪୪୦ଟି ଓଭରହେଡ୍ ଟାଙ୍କି ମଧ୍ୟରୁ ୨୧୪ଟି ଓଭରହେଡ୍ ପାଣିଟାଙ୍କିରେ ପାନୀୟ ଜଳ ଭର୍ତ୍ତି କରାଯାଇଛି ।
୮୫ଟି ପିଭିସି ସିଟାକ୍ସ ଟାଙ୍କି ବ୍ୟବହାର କରାଯାଇଛି । ଏହା ସହ ଅଧିକ ୧୦୦ଟି ଟାଙ୍କି ଜିଲ୍ଲାକୁ ପଠାଯାଇଛି । ଜିଲ୍ଲାରେ ୩ଟି ଭ୍ରାମ୍ୟମାଣ ପାନୀୟ ଜଳ ବିଶୁଦ୍ଧକରଣ ପ୍ଲାଣ୍ଟ କାର୍ଯ୍ୟକରୁଛି । ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ୩୭ ଜଣ ଇଲେକ୍ଟ୍ରିସିଆନ୍ ମୁତୟନ ହୋଇଛନ୍ତି ।