ଭୁବନେଶ୍ବର: ରାଜ୍ୟରେ କରୋନା ସହ ଲଢି ଶହୀଦ ହୋଇଥିବା କରୋନା ଯୋଦ୍ଧାଙ୍କ ପାଇଁ ରାଜଧାନୀରେ ପ୍ରତିଷ୍ଠା ହେବ ସ୍ମାରକୀ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇବା ସହ ତାଙ୍କ ତ୍ୟାଗ ଓ ବଳୀଦାନ କେବେ ବ୍ୟର୍ଥ ଯିବ ନାହିଁ ବୋଲି କହିଛନ୍ତି ନବୀନ ।
ମାଲକାନଗିରି, କଟକ, ବରଗଡ, ବାଲେଶ୍ବର ଓ ଗଞ୍ଜାମରେ କରୋନା ସହ ଲଢି ଶହୀଦ ହୋଇଥିବା କୋଭିଡ ଯୋଦ୍ଧାଙ୍କ ପରିବାର ସହିତ ଆଲୋଚନା କରିବା ସହ କୃତଜ୍ଞତା ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ଆଶ୍ବାସନା ମଧ୍ୟ ଦେଇଥିଲେ ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଓ ତତ୍ତ୍ବାବଧାନରେ ଓଡିଶା ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିପାରିଛି। ପ୍ରାୟ ୧୦ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିବା ବେଳେ ସରକାରଙ୍କ ପରିଚାଳନା ପ୍ରଣାଳୀ ଉଲ୍ଲେଖନୀୟ ଥିଲା । ସଠିକ ଯୋଜନା ଓ ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ କୋଭିଡ ଯୁଦ୍ଧରେ ସଫଳତା ମିଳିପାରିଛି ବୋଲି କହିଛନ୍ତି ଅସିତ ।