ଭୁବନେଶ୍ବର: ତିନି ବର୍ଷରୁ କମ ବୟସର ଶିଶୁଙ୍କ ଯତ୍ନକୁ ଆଧାର କରି ସେମାନଙ୍କ ବିକଶିତ ଶୈଶବକୁ ଆନୁଷ୍ଠାନିକ ରୂପରେଖା ପ୍ରଦାନ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ଵାରା 'ବାତ୍ସଲ୍ୟ'ର ଶୁଭାରମ୍ଭ ହୋଇଛି । ଅଙ୍ଗନବାଡି ସେବା ସମୂହରେ 3ବର୍ଷରୁ ଛୋଟ ଶିଶୁଙ୍କ ପାଇଁ ପରିପୂରକ ଭାବରେ ପୁଷ୍ଟିସାଧନ, ଟୀକାକରଣ, ସ୍ବାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ବ ଦିଆଯାଇଛି ।
କିନ୍ତୁ ଏହି ତିନି ବର୍ଷ ଶିଶୁର ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ଏବଂ ଏହି ବୟସରେ ଅବହେଳା କଲେ ତା'ର ପ୍ରଭାବ ଶିଶୁର ସାରା ଜୀବନ ଵୃଦ୍ଧି ଓ ବିକାଶରେ ଅନ୍ତରାୟ ହୋଇଥାଏ । ତେଣୁ ପିତାମାତାଙ୍କ ଜରିଆରେ ଦାୟିତ୍ବର ସହିତ ଆଦ୍ୟ ଶୈଶବର ବିକାଶକୁ ତ୍ବରାନ୍ବିତ କରିବା ପାଇଁ 'ବାତ୍ସଲ୍ୟ' ର ଉଦ୍ୟମ କରାଯାଇଛି। 'ବାତ୍ସଲ୍ୟ' ଅଭିଯାନରେ ପୁଷ୍ଟି ଓ ସ୍ବାସ୍ଥ୍ୟ ସେବା ସହିତ ଉପଯୁକ୍ତ ଯତ୍ନ ଏବଂ ଶିଶୁର ମସ୍ତିଷ୍କର ବିକାଶର ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ସାମାଜିକ ଓ ବ୍ୟବହାରିକ ପରିବର୍ତ୍ତନ ପାଇଁ ଉଦ୍ଧିଷ୍ଟ ସୂଚନା ସାମଗ୍ରୀ ଯେପରିକି ପିକୋ ପ୍ରୋଜେକ୍ଟର ମଧ୍ୟାମରେ ଆଞ୍ଚଳିକ ଭାଷାରେ ପୋଷ୍ଟର, ଟିକି ମାଉସୀର ହାସ୍ୟଚିତ୍ର ଆଦିର ବ୍ୟବହାର କରାଯିବ । ଏହାଦ୍ବାରା ଶିଶୁମାନେ ଅଧିକ ଆକର୍ଷିତ ହେବେ ।