ଭୁବନେଶ୍ବର: ରାଜଧାନୀରେ ନୌ-ବାଣିଜ୍ୟ ଐତିହ୍ୟ ଗ୍ୟାଲେରୀର ଉନ୍ମୋଚନ । ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଖ୍ୟ ଅତିଥି ଭାବେ ଯୋଗ ଦେଇ ଅନଲାଇନରେ ଏହାର ଭର୍ଚୁଆଲ ଉନ୍ମୋଚନ କରିଥିଲେ ।
ଗ୍ୟାଲେରୀର ଶୁଭ ଉନ୍ମୋଚନ ଅବସରରେ ମନ୍ତ୍ରୀ କହିଥିଲେ ଯେ, ଏହି ଗ୍ୟାଲେରୀ ଆଗାମୀ ପିଢ଼ି ପାଇଁ ବହୁ ଉପାଦେୟ ହେବା । ଏଥିସହ ଏ କ୍ଷେତ୍ରରେ କାର୍ଯ୍ୟରତ ଗବେଷକ, ଜିଜ୍ଞାସୁ ଓ ଇତିହାସ ପ୍ରେମୀମାନଙ୍କୁ ଏହା ବହୁ ମୂଲ୍ୟବାନ ତଥ୍ୟ ଯୋଗାଇପାରିବ । ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଆମାନେ ନୌ-ବାଣିଜ୍ୟରେ କିପରି ନିପୁଣ ଥିଲେ ସେ ଉପରେ ଆଲୋପାତ କରିଥିଲେ । ସେମାନେ ଦରିଆପାରି ଦେଶମାନଙ୍କରେ ବାଣିଜ୍ୟ କରି କେବଳ ଧନ ଅର୍ଜନ କରୁନଥିଲେ ବରଂ ସେଠାରେ ସେମାନେ ସାଂସ୍କୃତିକ ଔପନିବେଶ ପ୍ରତିଷ୍ଠା କରିପାରିଥିଲେ ।
ଏବେ ବି ଜାଭା, ସୁମାତ୍ରା, ବାଲି, ଇଣ୍ଡୋନେସିଆରେ ହିନ୍ଦୁ କିମ୍ବଦନ୍ତୀ ଐତିହ୍ୟ ଦେଖିବାକୁ ମିଳେ । ସେହିପରି ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ କହିଥିଲେ ଯେ, ଆମ ଇତିହାସର ପ୍ରକୃତ ମୂଲ୍ୟାଙ୍କନ କରିବାରେ କିଛିଟା ତ୍ରୁଟି ରହିଛି । ନଚେତ ଓଡ଼ିଆମାନେ ହିଁ ବୋଧହୁଏ ସର୍ବପ୍ରଥମ ଉପନିବେଶ ପ୍ରତିଷ୍ଠା କରିଥିଲେ ବୋଲି ଅନୁମାନ କରାଯାଏ ବୋଲି ଉଲ୍ଲେଖ କରିଥିଲେ । ଏହି ଭର୍ଚୁଆଲ ବୈଠକରେ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନର ସଚିବ ଡ. ସୁନୀଲ କୁମାର ପଟ୍ଟନାୟକ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଏହି ଗ୍ୟାଲେରୀ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ ।