ଭୁବନେଶ୍ବର: ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କୁବେରା ଗ୍ରାମ ପଞ୍ଚାୟତ ଗସ୍ତ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି । ବିଜେପି ରାଜ୍ୟ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ଏହି ଅବସରରେ ସେ ରାଜ୍ୟ ସରକାର ଓ ସରକାରୀ କଳକୁ ଟାର୍ଗେଟ କରିଛନ୍ତି । ଦୁର୍ନୀତି ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କୁ ଶାସକ ଦଳ ପୋଲିସ ଦ୍ୱାରା ନିର୍ଯାତନା ଦେଉଛି । ସେପଟେ ଶେଷ ଲୋକ ପକ୍କାଘର ନପାଇବା ଯାଏଁ ରାଜ୍ୟରେ ବିଜେପି ଲଢେଇ ଜାରି ରଖିବ ବୋଲି କହିଛନ୍ତି ସମୀର ।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କୁବେରା ଗ୍ରାମପଞ୍ଚାୟତକୁ ଗସ୍ତ କରିଥିଲେ । ତିହିଡି ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ଏହି ପଞ୍ଚାୟତ ବାସିନ୍ଦା । କୁବେରା ପଞ୍ଚାୟତର ଅନେକ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇନାହାଁନ୍ତି । ଗାଁ ରାସ୍ତାରେ ନାଳ ପାଣି ବୋହୁଛି । ଗାଁ ଗାଁରେ ବିଦ୍ୟୁତ୍ ନାହିଁ । ପୋଲିସ ଲୋକଙ୍କୁ ଭୟଭୀତ କରାଉଛି । ଏହାର ରାଜନୈତିକ ଉତ୍ତର ନିଶ୍ଚିତ ଭାବେ ବିଜେପି ଦେବ ବୋଲି କହିଛନ୍ତି ସମୀର ମହାନ୍ତି ।
କୁବେରବାସୀଙ୍କୁ କେବେ ପକ୍କା ଘର ମିଳିବ ବୋଲି ବିଜେପି ପ୍ରଶ୍ନ କରିଛି । ଏହା ସହ ନୂଆପାଟଣା ଓ ଭଣ୍ଡାରୀପୋଖରୀ ବ୍ଲକ ମଧ୍ୟ ଗସ୍ତ କରିଥିଲେ ପ୍ରତିନିଧି ଦଳ । ସେଠାରେ ମଧ୍ୟ ସମାନ ଅବସ୍ଥା ବିଜେପି ଦେଖିବାକୁ ପାଇଛି । ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି ସରକାରୀ ଅଧିକାରୀ । ଭଣ୍ଡାରୀପୋଖରୀରେ 8ଟି ପରିବାରକୁ ପକ୍କା ଘର ଯୋଜନାରେ ସାମିଲ କରାଯାଇ ପାରିନାହିଁ । ପ୍ରଶାସନକୁ ଏ ବାବଦରେ ଜଣାଇଲେ ସୁଦ୍ଧା କିଛି ଲାଭ ହେଉନାହିଁ । ସାଧାରଣ ଲୋକ ସ୍ୱତଃ ପ୍ରଭୃତ ଭାବରେ ଅଭିଯୋଗ କରିବାକୁ ଗଲେ ପ୍ରଶାସନ ତାହାର ସମାଧାନ କରୁନାହିଁ । ଦୋଷୀ ଉପରେ କୌଣସି ଦଣ୍ଡ ବିଧାନ ହେଉନଥିବା ଅଭିଯୋଗ ହୋଇଛି ।