ଭୁବନେଶ୍ବର: କୋରୋନା ମହାମାରୀର ପ୍ରଭାବ ସମଗ୍ର ବିଶ୍ବକୁ ଅତ୍ୟନ୍ତ ଦୁଃସହ କରିଦେଇଛି । ଯାହାର ପ୍ରଭାବ ବିଶ୍ବର ସାମାଜିକ ଓ ଆର୍ଥିକ ଅବସ୍ଥାକୁ ଛାରଖାର କରିଦେଇଛି । ତେବେ ବିଭିନ୍ନ ଦେଶର ଆର୍ଥିକ ଓ ସାମାଜିକ ପ୍ରଗତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନିର୍ମାଣ ଶିଳ୍ପ ଏହି ମହାମାରୀ ପାଇଁ ଅତି କରୁଣ ଭାବେ ବିପର୍ଯ୍ୟସ୍ତ ହୋଇଛି । ହଜାର ହଜାର ଓ କୋଟି କୋଟି ଟଙ୍କାରେ ନିର୍ମାଣଧୀନ ଅନେକ ସରକାରୀ ଓ ବେସରକାରୀ ପ୍ରକଳ୍ପ ଏଥିଯୋଗୁଁ ବନ୍ଦ ହୋଇଯାଇଛି । ଫଳରେ ଏଭଳି ଶିଳ୍ପରେ ଜଡିତ ଦେଶ ଓ ରାଜ୍ୟର ଲକ୍ଷାଧିକ ଶ୍ରମିକ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସରକାରଙ୍କ ନିର୍ଦେଶପାଳନ କରି ସେମାନେ ସିନା ଯେଉଁଠି ଅଛନ୍ତି ସେଇଠି ବାଧ୍ୟରେ ରହିଛନ୍ତି । କିନ୍ତୁ ସେମାନଙ୍କ ନିକଟରେ ଅର୍ଥ ନଥିବାରୁ ସେମାନେ ପେଟକୁ ଠିକ୍ରେ ମୁଠାଏ ଦାନା ଦେଇ ପାରୁନାହାନ୍ତି । ଏମିତିକି ସେମାନଙ୍କୁ ସେମାନଙ୍କ କମ୍ପାନୀ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସହାୟତା ଉଚିତ ଭାବେ ମିଳୁନାହିଁ । ଏଣେ ନିଜେ ଭୋକ ଉପାସରେ ରାହୁଥିବାବେଳେ ସେମାନଙ୍କୁ ନିଜ ପରିବାର ଚିନ୍ତା ମଧ୍ୟ ଘାରୁଛି । ସେମାନଙ୍କ ପାଇଁ ପଇସା ପଠାଇ ହେଉନି କି ସେମାନେ ଗାଁକୁ ଯିବା ପାଇଁ ସରକାର କୌଣସି ପ୍ରକାର ବନ୍ଦୋବସ୍ତ କରୁନାହାନ୍ତି । ତେଣୁ ସରକାର ସେମାନଙ୍କୁ ଯଦି ରହିବା ପାଇଁ କହୁଛନ୍ତି ସେମାନଙ୍କୁ ପେଟ ଭରିବା ପାଇଁ ବ୍ୟବସ୍ଥା କରନ୍ତୁ ନଚେତ ଏଠାରେ କାମ କରିବାର ସୁଯୋଗ ଦିଅନ୍ତୁ ବା ଘରକୁ ଯିବା ପାଇଁ ବନ୍ଦୋବସ୍ତ କରିବାକୁ ଦାବି କରିଛନ୍ତି ।