ଭୁବନେଶ୍ବର: ରାଜ୍ୟରେ ଶିଶୁ ହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି । ଗୋଟିଏ ପରେ ଗୋଟିଏ ଲୋମହର୍ଷଣକାରୀ ଶିଶୁ ହତ୍ୟାକାଣ୍ଡ ଘଟଣା ଜନମାନସକୁ ଦୋହଲାଇ ଦେଉଛି । ଅତୀତ ଘଟଣାରୁ ରାଜ୍ୟ ସରକାର ଏବଂ ପ୍ରଶାସନ କୌଣସି ଶିକ୍ଷା ଲାଭ କରୁ ନାହାନ୍ତି । ଅନ୍ୟ ପଟେ ଶାସକ ବିଜୁ ଜନତା ଦଳର ଅପାରଗତା ଓ ଅସମ୍ବେଦନହୀନତା ମନୋଭାବ ଜାରଣରୁ ରାଜ୍ୟରେ ମା’, ଭଉଣୀ ଏବଂ ଶିଶୁ ମାନଙ୍କ ପ୍ରତି ଅତ୍ୟାଚାର କ୍ରମଶଃ ବୃଦ୍ଧି ପାଇଚାଲିଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
ନୟାଗଡ ଜିଲ୍ଲା ପରୀ ହତ୍ୟାକାଣ୍ଡ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଅରୁଣ ସାହୁଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଶିଶୁ ହତ୍ୟାକାଣ୍ଡ କ୍ରମାଗତ ବୃଦ୍ଧି ପାଇଥିବା ବେଳେ ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ନଥିବାରୁ ଅପରାଧୀଙ୍କ ମନରେ ପ୍ରଶାସନ ପ୍ରତି କୌଣସି ଭୟ ନାହିଁ । ଏହି କାରଣରୁ ଅପରାଧୀ ମାନେ ନିର୍ବିଘ୍ନ ଭାବେ ଏଭଳି ଜଘନ୍ୟ ଅପରାଧ ଭିଆଉଛନ୍ତି ବୋଲି ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ପରେ ପୁଣି ଏକ ହୃଦୟ ବିଦାରକ ଶିଶୁ ହତ୍ୟା ଘଟଣା ସାମ୍ନାକୁ ଆସିଛି । ନୟଗଡ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ନୂଆଗାଁର କୁନି ଝିଅ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯିବା ଏବଂ ୫ଦିନ ପରେ ଏକ ନିଛାଟିଆ ଜଙ୍ଗଳରେ ତାର ମୃତ ଦେହ ଗଳିତ ଅବସ୍ଥାରେ ଠାବ ହେବା ପୁଣି ଥରେ ପରୀ ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି । ବିଳମ୍ବରେ ହେଉ ପଛେ ପୋଲିସ ଅପରାଧୀକୁ ଧରିଥିବାର କହିଛି କିନ୍ତୁ, ଏଭଳି ଘଟଣା ବାରମ୍ବାର ହେବା ଅତ୍ୟନ୍ତ ନିନ୍ଦନୀୟ ଏବଂ ପ୍ରଶାସନର ବିଫଳତାକୁ ପଦାରେ ପକାଇଛି ବୋଲି ପଟ୍ଟନାୟକ କହିଛନ୍ତି ।
ସର୍ଭେ ଅନୁଯାୟୀ ନୟାଗଡ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ହାର ବହୁତ କମ୍ । ଅତିତରେ କନ୍ୟା ଭୃଣ ହତ୍ୟାକୁ ନେଇ ସମଗ୍ର ଦେଶରେ ନୟାଗଡ ଚର୍ଚ୍ଚାର ବିଷୟ ହୋଇଥିଲା । ଏହା ସତ୍ତ୍ବେ ଜିଲ୍ଲାରେ ବାରମ୍ବାରା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ତାଙ୍କ ଉପରେ ଅତ୍ୟାଚାର ହ୍ରାସ ପାଇନାହିଁ । ଏହା ଜିଲ୍ଲାର ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ଏକ ବଡ ଚିନ୍ତାର ବିଷୟ ପାଲଟିଛି ବୋଲି ପଟ୍ଟନାୟକ କହିଛନ୍ତି ।
ପୋଲିସ ବିଭାଗର “ଡଗ୍ ସ୍କ୍ବାର୍ଡ’’କୁ ସଠିକ ଭାବେ ପ୍ରଶିକ୍ଷଣ ଦିଆଯାଉନଥିବା କାରଣରୁ ଏଭଳି ଜଘନ୍ୟ ଘଟଣାରେ ଯୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଛି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଶ୍ରୀମତୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଅର୍ଜନା ଦାଶଙ୍କ ନେତୃତ୍ବରେ ପ୍ରତିନିଧି ଦଳ ମୃତ ନାବାଳିକା ପରିବାରକୁ ଭେଟି ସାନ୍ତ୍ବନା ଦେବା ସହ ଘଟଣା ସଂପର୍କରେ ଅବଗତ ହୋଇଥିଲେ ଅଭିଯୁକ୍ତ ବିଶ୍ଵ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ବିହୀତ ପଦକ୍ଷେପ ନେବା ପାଇଁ ପୋଲିସ ଓ ପ୍ରଶାସନ ନିକଟରେ ଦାବୀ ଜଣାଇଛନ୍ତି । ଏଥିସହିତ ମୃତ ଶିଶୁକନ୍ୟାର ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଦାବି ଜଣାଇଛନ୍ତି ।
ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ: ପରିବାରକୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା - ନାବାଳିକା ପରିବାରକୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା
ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ପରିବାରକୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...
ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ: ପରିବାରକୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ