ଭୁବନେଶ୍ବର:ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଳିବ ଅଗ୍ରାଧିକାର । ମନରେଗା କାର୍ଯ୍ୟର ଯୋଜନା ଏବଂ ସଫଳ କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯିବ । ଏନେଇ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ଯୋଜନାର ଯଦି ସଫଳ ରୂପାୟନ ହେଲେ ଗ୍ରାମାଞ୍ଚଳରେ ମହିଳାଙ୍କୁ ଅଧିକ ଆତ୍ମନିର୍ଭର ତଥା ଆର୍ଥିକ ରୂପେ ସଶକ୍ତ କରିପାରିବ ବୋଲି ଆଶା କରାଯାଉଛି ।
ମନରେଗାରେ ଗ୍ରାମାଞ୍ଚଳରେ ଅଣକୁଶଳୀ ଶ୍ରମିକଙ୍କୁ ବାର୍ଷିକ ୧୦୦ ଦିନର ନିଶ୍ଚିତ କାର୍ଯ୍ୟ ଯୋଗାଇ ଦିଆଯାଉଛି । ଏହା ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ନିର୍ବାହକୁ ସୁରକ୍ଷିତ କରିପାରିଛି । ଏହାସହ ମନରେଗା ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ଆଉ ଅର୍ଥନୈତିକ କାର୍ଯ୍ୟକଳାପରେ ମହିଳାଙ୍କ ଯୋଗଦାନକୁ ଏହି ଯୋଜନା ଅଧିକ ବଳ ଦେବ ବୋଲି ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟ ସରକାର ମହିଳା ସଶକ୍ତିକରଣ ଦିଗରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି ।
ବିଶେଷକରି ରାଜ୍ୟ ସରକାରଙ୍କ ବିବିଧ ପଦକ୍ଷେପ ମହିଳାଙ୍କୁ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ମୁଖ୍ୟଧାରାକୁ ଆଣିପାରିଛି । ମିଶନ ଶକ୍ତି ବିଭାଗ ଅଧିନରେ ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ମନରେଗାର ସଫଳ କାର୍ଯ୍ୟନ୍ୱୟ ପାଇଁ ନିୟୋଜିତ କରିବାକୁ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ଚିଠିରେ ଉଲ୍ଲେଖ କରିଛନ୍ତି ।