ଓଡିଶା

odisha

ETV Bharat / city

ଉନ୍ନତ ପ୍ରଦର୍ଶନକାରୀ ବ୍ୟାଙ୍କ ହେବେ ପୁରସ୍କୃତ - ବ୍ୟାଙ୍କ ହେବ ପୁରସ୍କୃତ

କୃଷକ, ମିଶନ୍ ଶକ୍ତି ଏବଂ ଏମ୍ଏସ୍ଏମ୍ଇ ଗୁଡିକ ପାଇଁ କ୍ରେଡିଟ୍ ଲିଙ୍କର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିିକି ଉନ୍ନତ ପ୍ରଦର୍ଶନ କରୁଥିବା ବ୍ୟାଙ୍କ ଗୁଡିକ ହେବେ ପୁରସ୍କୃତ। ଅଧିକ ପଢ଼ନ୍ତୁ...

ଉନ୍ନତ ପ୍ରଦର୍ଶନକାରୀ ବ୍ୟାଙ୍କଗୁଡିକ ହେବେ ପୁରସ୍କୃତ
ଉନ୍ନତ ପ୍ରଦର୍ଶନକାରୀ ବ୍ୟାଙ୍କଗୁଡିକ ହେବେ ପୁରସ୍କୃତ

By

Published : Feb 26, 2021, 10:16 PM IST

ଭୁବନେଶ୍ବର: କୃଷକ, ମିଶନ୍ ଶକ୍ତି ଏବଂ ଏମ୍ଏସ୍ଏମ୍ଇ ଗୁଡିକ ପାଇଁ କ୍ରେଡିଟ୍ ଲିଙ୍କର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିିକି ଉନ୍ନତ ପ୍ରଦର୍ଶନ କରୁଥିବା ବ୍ୟାଙ୍କ ଗୁଡିକ ହେବେ ପୁରସ୍କୃତ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗତ 2 ମାସ ମଧ୍ୟରେ ପ୍ରାଥମିକ କ୍ଷେତ୍ରକୁ ଋଣ ବିତରଣରେ ଯଥେଷ୍ଟ ଅଗ୍ରଗତି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରାଥମିକ କ୍ଷେତ୍ରଗୁଡିକରେ ଋଣ ପ୍ରଦାନରେ ଉନ୍ନତି ଆଣିବା ପାଇଁ ବ୍ୟାଙ୍କ ଏବଂ ଜିଲ୍ଲାମାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ସଙ୍କଟ ସମୟରେ ସମାଜ ତଥା ଅର୍ଥନୀତିର ସବୁଠାରୁ ଅସୁରକ୍ଷିତ ବର୍ଗ - କୃଷକ, ମହିଳାଙ୍କୁ ପର୍ଯ୍ୟାପ୍ତ ତଥା ସମୟାନୁବର୍ତ୍ତୀ ଋଣ ଯୋଗାଣ ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଦୁର୍ବଳ ତଥା ଅସାମାଜିକ ଗୋଷ୍ଠୀର ସ୍ୱାର୍ଥ ରକ୍ଷା ତଥା ସୁରକ୍ଷା ପାଇଁ ରାଜ୍ୟ ସରକାର ସର୍ବଦା ଚିନ୍ତିତ । ରାଜ୍ୟରେ କୃଷକ, ମିଶନ୍ ଶକ୍ତି ଗୋଷ୍ଠୀ ଏବଂ ଏମ୍ଏସ୍ଏମ୍ଇ ହେଉଛନ୍ତି ରାଜ୍ୟର ମେରୁଦଣ୍ଡ । ସେମାନଙ୍କର ବ୍ୟବସାୟ ଚଳାଇବା ଏବଂ ବିସ୍ତାର କରିବା ପାଇଁ ଋଣର ଆବଶ୍ୟକତା ରହିଛି ।

କୃଷି, ଏମଏସଏମଇ ଏବଂ ମିଶନ ଶକ୍ତିର ଗୁରୁତ୍ୱକୁ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ମାସ ମଧ୍ୟରେ ସୃଷ୍ଟି ହୋଇଥିବା ସୁଯୋଗକୁ ଆଗକୁ ନେବା ପାଇଁ 2021-22 ଆର୍ଥିକବର୍ଷ ପାଇଁ ଏହି କ୍ଷେତ୍ରଗୁଡିକ ପାଇଁ ବଜେଟ ବ୍ୟବସ୍ଥା ଯଥେଷ୍ଟ ବୃଦ୍ଧି ପାଇଛି । ଲୋକଙ୍କ ଉପରେ ସୁଧ ବୋଝ ହ୍ରାସ କରିବା ଏବଂ କ୍ରେଡିଟ୍ ଲିଙ୍କେଜ୍ ବୃଦ୍ଧି ପାଇଁ ଆମେ ବିଭିନ୍ନ ଯୋଜନା ଅନ୍ତର୍ଗତ ସୁଧ ସବଭେନ୍ସନ୍ ମଧ୍ୟ ପ୍ରଦାନ କରୁଛୁ ବୋଲି ସେ କହିଛନ୍ତି ।

SHG ଋଣ ବୃଦ୍ଧି ଉପରେ ଗୁରୁତ୍ବ

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, କୃଷି, ଏମଏସଏମଇ ଏବଂ ଏସଏଚଜି କ୍ଷେତ୍ରକୁ ଋଣ ଠିକ ସମୟରେ ପ୍ରଦାନ କରି ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାରେ ବ୍ୟାଙ୍କ ଏବଂ ଜିଲ୍ଲାମାନେ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।ସମୟ ପୂର୍ବରୁ SHG କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଆର୍ଥିକ ଲକ୍ଷ୍ୟ ହାସଲ କରିଥିବାରୁ ସେ ସମସ୍ତ ବ୍ୟାଙ୍କରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ "ଡିସେମ୍ବରରେ ଗତ ବୈଠକରୁ ଆଜି ଯାଏଁ ମିଶନ ଶକ୍ତି ଗୋଷ୍ଠୀକୁ ପ୍ରାୟ 1600 କୋଟି ଟଙ୍କା ପ୍ରଦାନ କରାଯାଇଛି । ଯାହା ବାର୍ଷିକ ଲକ୍ଷ୍ୟଠାରୁ ପ୍ରାୟ 500 କୋଟି ଟଙ୍କା ଅଧିକ ।" ଏହି ସଫଳତା ପାଇଁ ସେ ସମସ୍ତ ବ୍ୟାଙ୍କ ଏବଂ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ଗଞ୍ଜାମ, ବାଲେଶ୍ଵର, ନୂଆପଡା, କନ୍ଧମାଳ, ଅନୁଗୁଳ ଜିଲ୍ଲା ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।


ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ବାର୍ଷିକ ଋଣ ଲକ୍ଷ୍ୟ 3240 କୋଟି ଟଙ୍କା ଥିଲା । କିନ୍ତୁ ଜାନୁୟାରୀ ସୁଦ୍ଧା, ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକ 3745 କୋଟିରୁ ଅଧିକ କ୍ରେଡିଟ୍ ଗ୍ରହଣ କରିସାରିଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀ ସେକ୍ଟରରେ ହାରାହାରି ଋଣ ଆକାର 1.49 ଲକ୍ଷ ଟଙ୍କା । ଯାହାକୁ ଅତି କମରେ 2 ଲକ୍ଷ ଟଙ୍କାକୁ ବଢାଇବାକୁ ପଡିବ । ତେଣୁ SHG ଗୁଡ଼ିକ ପାଇଁ ହାରାହାରି ଋଣ ଆକାର ବୃଦ୍ଧି ଉପରେ ଧ୍ୟାନ ଦେବା ପାଇଁ ଆବଶ୍ୟକତା ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମିଶନ୍ ଶକ୍ତି ଗୋଷ୍ଠୀକୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ଓଡିଶା ଗ୍ରାମ ବ୍ୟାଙ୍କ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ଏସବିଆଇ, ୟୁକୋ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କକୁ ଧନ୍ୟବାଦ ଜଣାଇଛନ୍ତି । ଆକ୍ସିସ୍ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ ଆଇଡିବିଆଇ ବ୍ୟାଙ୍କ ପରି ଅନ୍ୟ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଋଣ ପ୍ରଦାନ କାର୍ଯ୍ୟରେ ଉନ୍ନତି ଆଣିବାକୁ ସେ ଅନୁରୋଧ କରିଛନ୍ତି ।

ରାଜ୍ୟର ଆର୍ଥିକ ମେରୁଦଣ୍ଡ କୃଷକ

କୃଷକମାନଙ୍କ ଉପରେ ଧ୍ୟାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷକମାନେ ଆମ ରାଜ୍ୟର ମେରୁଦଣ୍ଡ । ଆମେ ସେମାନଙ୍କୁ ଠିକ୍ ସମୟରେ କ୍ରେଡିଟ୍ ପ୍ରଦାନ କରିବା ଉଚିତ୍ । ସାମଗ୍ରିକ ଭାବେ ଆମେ ଅଧିକାଂଶ ଜିଲ୍ଲାରେ ଏପର୍ଯ୍ୟନ୍ତ କୃଷକମାନଙ୍କୁ ଋଣ ସହ ସାହାଯ୍ୟ କରିବାରେ ସକ୍ଷମ ହୋଇଛୁ । ଗତବର୍ଷ କ୍ରପ୍ ଋଣ 20 ହଜାର କୋଟି ଟଙ୍କା ଥିଲା । ଏହା ଆଉ ପ୍ରାୟ 6 ଶହ କୋଟି ବୃଦ୍ଧି ହୋଇ ଚଳିତବର୍ଷ ଏହା 20,606 କୋଟି ଟଙ୍କା ହୋଇଛି ।

କୃଷକଙ୍କୁ ଋଣ ଦେବାରେ ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ, ସୋନପୁର ଏବଂ ବଲାଙ୍ଗୀର ଏବଂ କେନ୍ଦ୍ରାପଡା ଜିଲ୍ଳାକୁ ବିଶେଷ ପ୍ରଶଂସା କରିଛନ୍ତି । ମାଲକାନଗିରି, ଗଜପତି, କଳାହାଣ୍ଡି ଏବଂ ଢେଙ୍କାନାଳ ଜିଲ୍ଲା ଅଗାମୀ ଦିନରେ ଅ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

କୃଷକଙ୍କୁ ଋଣ ପ୍ରଦାନରେ ଭଲ ପ୍ରଦର୍ଶନ କରିଥିବା ଓଡିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓଡିଶା ଗ୍ରାମ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ ବରୋଦା ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

ଏମ୍ଏସ୍ଏମ୍ଇ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ

ରାଜ୍ୟକୁ ଆଗକୁ ନେବାରେ ଏମ୍ଏସ୍ଏମ୍ଇ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏମ୍ଏସ୍ଏମ୍ଇ ରାଜ୍ୟର ଅର୍ଥନୀତିର ମେରୁଦଣ୍ଡ । ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇର ପ୍ରମୁଖ ଭୂମିକା ରହିଛି । ଗତ ଦୁଇ ମାସ ମଧ୍ୟରେ ଏମଏସଏମଇକୁ ସାମଗ୍ରିକ ଋଣ ପ୍ରଦାନ ସନ୍ତୋଷଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏମଏସଏମଇ କ୍ଷେତ୍ରକୁ 26 ହଜାର କୋଟିରୁ ଅଧିକ କ୍ରେଡିଟ୍ ମିଳିଛି । ଯାହା ମାର୍ଚ୍ଚ ସୁଦ୍ଧା 20,457 କୋଟି ଟଙ୍କାର ଲକ୍ଷ୍ୟକୁ ଛୁଇଁବ ବୋଲି ଆଶା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

ବାର୍ଷିକ ଲକ୍ଷ୍ୟ ଅତିକ୍ରମ କରିଥିବାରୁ ଯାଜପୁର, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡା ଏବଂ ରାୟଗଡା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଗଜପତି, ଦେଓଗଡ, ନୁଆପଡା ଏବଂ ଢେଙ୍କାନାଳ ଜିଲ୍ଲା ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ବାର୍ଷିକ ଲକ୍ଷ୍ୟକୁ ଅତିକ୍ରମ କରିଛନ୍ତି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏମଏସଏମଇ ମାନଙ୍କୁ ଏପର୍ଯ୍ୟନ୍ତ 7,541 କୋଟି ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ଋଣ ସହାୟତା ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏଚଡିଏଫସି, ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବ୍ୟାଙ୍କ ଅଫ ବରୋଦାକୁ ଏମଏସଏମଇକୁ ଅଧିକ ଋଣ ପ୍ରଦାନ କରିବା ପାଇଁ ଆଗକୁ ଆସିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଅଗ୍ରାଧିକାର କ୍ଷେତ୍ରକୁ ମୋଟ ଋଣ ପ୍ରବାହ ପରିମାଣ ଦୃଷ୍ଟିରୁ ଖୋର୍ଦ୍ଧା, ସୁନ୍ଦରଗଡ ଏବଂ ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଋଣ ବ୍ୟବସ୍ଥାରେ ଆହୁରି ଉନ୍ନତି ହେବାର ଆଶା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଆର୍ଥିକବର୍ଷରେ ଆଉ ଏକ ମାସ ବାକି ଅଛି । ସମସ୍ତ ଜିଲ୍ଲା ଏବଂ ବ୍ୟାଙ୍କଗୁଡିକ ବାର୍ଷିକ ଋଣ ଲକ୍ଷ୍ୟ ହାସଲ କରିବାକୁ କଠିନ ପରିଶ୍ରମ କରିବାକୁ ପଡିବ ।

ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ କେତେକ ବ୍ୟାଙ୍କର ଭଲ ପ୍ରଦର୍ଶନ ବିଷୟରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଜଣାଇବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆର୍ଥିକବର୍ଷ ଶେଷରେ କୃଷକ, କ୍ଷୁଦ୍ର ଉଦ୍ୟୋଗୀ ଏବଂ SHGକୁ ସହଜ ଓ ସରଳ ଭାବେ ଋଣ ପ୍ରଦାନରେ ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କଗୁଡ଼ିକୁ ମଧ୍ୟ ପୁରସ୍କାର ଦେବୁ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

'ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ମୂଳ ଲକ୍ଷ୍ୟ'
ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସରକାରଙ୍କ ଆକାଂକ୍ଷା ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ ଜିଲ୍ଲା ପ୍ରଶାସନ ଏବଂ ବ୍ୟାଙ୍କର୍ମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଦୁଇ ମାସ ମଧ୍ୟରେ ଦ୍ୱିତୀୟ ବୈଠକ ଡକାଯିବା ଅର୍ଥ ହେଉଛି ଏହି କ୍ଷେତ୍ରଗୁଡିକ ସହିତ ଋଣ ସଂଯୋଗକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ବ୍ୟାଙ୍କ ଏବଂ ଜିଲ୍ଲାଗୁଡ଼ିକର ଉନ୍ନତ ପ୍ରଦର୍ଶନ ଉପରେ ସେ କହିଥଲେ ଯେ ପରିଶ୍ରମ କଲେ ଆସନ୍ତା ଏକ ମାସ ମଧ୍ୟରେ ସମସ୍ତ ଲକ୍ଷ୍ୟ ହାସଲ ହେବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ଏହି ସଭାକୁ ପରିଚାଳନା କରିଥିଲେ । କୃଷି ସଚିବ ସୌରଭ ଗର୍ଗ, ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ, ମିଶନ୍ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ୍ ସଂଯୋଜନା କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାଶ, ଇଟିଭି ଭାରତ

ABOUT THE AUTHOR

...view details