ଭୁବନେଶ୍ୱର : ଦୁଇ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ସରକାର ଅନୁମତି ଦେବା ଦାବିରେ ଆସନ୍ତା 22 ତାରିଖରେ ଧାରଣାରେ ବସିବେ କଳାକାର । ଆଜି ଏନେଇ ବରିଷ୍ଠ ଯାତ୍ରା ଅଭିନେତା ତଥା ଯାତ୍ରା କଳାକାର କର୍ମଚାରୀ ସଙ୍ଘର ସଭାପତି ଦୈତାରି ପଣ୍ଡା ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।
ଗଣମାଧ୍ୟମ କର୍ମୀଙ୍କୁ ସୂଚନା ଦେବା ଅବସରରେ ସେ ଆହୁରି କହିଛନ୍ତି ଯେ, ଦୀର୍ଘ ବର୍ଷେ କାଳ କଳାକାର ବିଶେଷ କରି ଯାତ୍ରା କଳାକାରମାନେ ବିନା କାମରେ ହାତ ବାନ୍ଧି ଘରେ ବସି ରହିଛନ୍ତି । ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ସରକାର କରୋନା କଟକଣା କୋହଳ କରିବା ସହ ସ୍କୁଲ, କଲେଜ, ମନ୍ଦିର ବଜାର ଆଦିକୁ ସାମାନ୍ୟ କରୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ଉପରୁ ପ୍ରତିବନ୍ଧକ ହଟାଉ ନାହାନ୍ତି । 500 ଦର୍ଶକଙ୍କୁ ନେଇ ଯେଉଁ ଅନୁମତି ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ପ୍ରଶାସନିକ ସ୍ତରରେ ମଧ୍ୟ ସବୁଠି ଅନୁମତି ମିଳୁ ନାହିଁ । ତେଣୁ, ବର୍ତ୍ତମାନ ସମୟ କଳା ପରିବେଷଣର ହୋଇ ଥିବାରୁ ମାଲିକମାନେ ଘରେ ବସିଥିବା କଳାକାରଙ୍କୁ ନେଇ ପ୍ରସ୍ତୁତି ହେଉଥିବା ବେଳେ ସରକାର ତାଙ୍କୁ ଅନୁମତି ଦେଉ ନାହଁନ୍ତି । ଯାହାକି ଅତ୍ୟନ୍ତ ଦୁଃଖଦ ବୋଲି ଦୈତାରି ପଣ୍ଡା କହିବା ସହ ସରକାରଙ୍କ ନିକଟରେ ହାତଯୋଡି ମିନତୀ କରିଛନ୍ତି ।