ଭୁବନେଶ୍ବର: ବିଶ୍ବ ପାଇଁ କାଳ ସାଜି ଆସିଛି କୋରୋନା। ଦୈନିକ ଗଡୁଛି ହଜାର ହଜାର ମୁଣ୍ଡ। ଏପଟେ ଏହାର ମୁକାବିଲା ପାଇଁ ଡବ୍ଲ୍ୟୁଏଚଓ ଥ୍ରୀ ଟି ଫର୍ମୁଲା ଉପରେ ଫୋକସ କରିଛି। ଟ୍ରେସିଂ, ଟେଷ୍ଟି ଓ ଟ୍ରିଟମେଣ୍ଟ। ଏହି ଥ୍ରୀ ଟି ଫର୍ମୁଲାର ସଫଳ ରୂପାୟନ କରିପାରିଲେ କୋରୋନା ମୁକାବିଲା ସମ୍ଭବ। ଭାରତ ସମେତ ଓଡିଶା ସରକାର ମଧ୍ୟ ସମାନ ଫର୍ମୁଲାକୁ ଆପଣେଇଛନ୍ତି। ତେବେ ରାଜ୍ୟସରକାର ଟେଷ୍ଟି ଉପରେ ଟ୍ରେସ ଦେଇ ଦୈନିକ 7 ରୁ 8 ହଜାର ନମୁନା ପରୀକ୍ଷା କରୁଛନ୍ତି।
ରିପୋର୍ଟ ପାଇଁ ପ୍ରଥମେ 24 ଘଣ୍ଟା ପରବର୍ତ୍ତୀ ସମୟରେ 48 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗୁଛି। ରିପୋର୍ଟ ବିଳମ୍ବ ଆସୁଥିବାରୁ ଚାପଗ୍ରସ୍ତ ହେଉଛନ୍ତି ସନ୍ଦିଗ୍ଧ। ଏପଟେ ଲମ୍ବା ଲାଇନରେ ଅପେକ୍ଷା କରିବା ଅନେକଙ୍କ ପାଇଁ ମୁଣ୍ଡବିନ୍ଧା ଓ ଚିନ୍ତାର କାରଣ ପାଲଟିଛି। ଏହି ସମୟରେ ଜଣେ କୋରୋନା ଆକ୍ରାନ୍ତ ଯୁବତୀଙ୍କ ବୟାନ ରାଜ୍ୟରେ ଟେଷ୍ଟି ବିଳମ୍ବ ହେବାର ପୋଲ ଖୋଲିଛି।
ରାଜ୍ୟରେ ମାର୍ଚ୍ଚ 15ରେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲା। ଇଟାଲୀ ଫେରନ୍ତା ଏହି ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଧିକରୁ ଅଧିକ ଟେଷ୍ଟ ଉପରେ ଗୁରୁତ୍ବ ଦେଇଥିଲେ ସରକାର। ବିଦେଶ ଫେରନ୍ତା ଓ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଉଥିଲା। ଏହି ସମୟରେ ପଜିଟିଭ୍ ଆସୁଥିବା ରୋଗୀଙ୍କୁ ଚିକିତ୍ସା କରିବା ସହ କଣ୍ଟାକ୍ଟ ଟ୍ରେସିଂ କରାଯାଉଥିଲା।